କନକ ବ୍ୟୁରୋ : ବିହାର ମୁଜଫରପୁରର ସାମ୍ବାଦିକ ରାଜଦେବ ରଞ୍ଜନଙ୍କ ହତ୍ୟାକାଣ୍ଡ ଏବେ ନୂଆ ମୋଡ ନେଇଛି । କାରଣ ସିବିଆଇ ଦ୍ୱାରା ଯେଉଁ ସାକ୍ଷୀଙ୍କୁ ମୃତ ଘୋଷଣା କରାଯାଇଥିଲା ଉକ୍ତ ସାକ୍ଷୀ ଖୋଦ୍ କୋର୍ଟରେ ହାଜର ହୋଇଛନ୍ତି । ଆଉ ଉକ୍ତ ସାକ୍ଷୀ ଜଣକ ହେଉଛନ୍ତି ବାଦାମୀ ଦେବୀ । ସିବିଆଇ ବାଦାମୀ ଦେବୀଙ୍କ ମୃତ୍ୟୁ ହୋଇଥିବା ନେଇ କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । କିନ୍ତୁ ବାଦାମୀ ଦେବୀ କୋର୍ଟରେ ପହଞ୍ଚିବା ପରେ ସିବିଆଇ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଖୋଦ୍ ବାଦାମୀ ଦେବୀ କୋର୍ଟରେ ଉପସ୍ଥିତ ହେବା ସହ କହିଛନ୍ତି, ହଜୁର ମୁଁ ଏବେ ବି ବଞ୍ଚିଛି । କିନ୍ତୁ ସିବିଆଇ ମୋତେ ମୃତ ଘୋଷଣା କରିଛି । ଆଉ ବାଦାମୀ ଦେବୀ କୋର୍ଟରେ ଉପସ୍ଥିତ ହେବା ପରେ ସିବିଆଇ ଠାରୁ ଏ ବାବଦରେ ସ୍ପଷ୍ଟୀକରଣ ମାଗିଛନ୍ତି କୋର୍ଟ ।

Advertisment

ମିଳିଥିବା ସୂଚନା ମୁତାବକ, ଏହି ମାମଲା ସାମ୍ବାଦିକ ରାଜଦେବ ରଞ୍ଜନଙ୍କ ହତ୍ୟାକାଣ୍ଡ ସହ ଜଡିତ । ଯେଉଁ ମାମଲାରେ ବାଦାମୀ ଦେବୀ ସାକ୍ଷୀ ରହିଛନ୍ତି । ଯାହାର ଯାଞ୍ଚ ଏବେ ସିବିଆଇ କରୁଛି । କିନ୍ତୁ ଗତ ୨୪ ମେ’ରେ ସିବିଆଇ ଯେଉଁ ରିପୋର୍ଟ ଦାଖଲ କରିଥିଲା ସେଥିରେ ବାଦାମୀ ଦେବୀଙ୍କୁ ମୃତ ଘୋଷିତ କରାଯାଇଥିଲା । ତେବେ ଏନେଇ ଗଣମାଧ୍ୟମରୁ ଖବର ପାଇଥିଲେ ବାଦାମୀ ଦେବୀ ଏବଂ ମନଦୁଃଖ ମଧ୍ୟ କରିଥିଲେ । ଏହାପରେ ନିଜେ କୋର୍ଟରେ ପହଞ୍ଚିଥିଲେ ମହିଳା । ନିଜର ସମସ୍ତ ଆଇକାର୍ଡ, ଭୋଟର କାର୍ଡ କୋର୍ଟରେ ଉପସ୍ଥାପିତ କରିଥିଲେ ବାଦାମୀ ଦେବି । ଯାହାକୁ ନେଇ ସିବିଆଇକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ କୋର୍ଟର୍ । ବାଦାମୀ ଦେବୀ ସେହି ମହିଳା ଯାହାଙ୍କ ଘର କବଜା କରିବାକୁ ମସୁଧା କରିଥିଲେ ଅଭିଯୁକ୍ତ । କିନ୍ତୁ ଏହାକୁ ଲଗାତାର ବିରୋଧ କରି ଆସୁଥିଲେ ସାମ୍ବାଦିକ ରାଜଦେବ ରଞ୍ଜନ । ଯେଉଁଥିପାଇଁ ସାମ୍ବାଦିକ ରାଜଦେବଙ୍କୁ ଜୀବନ ଦେବାକୁ ପଡିଥିଲା । ସାମ୍ବାଦିକଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ ।