ମାନବପ୍ରେମୀଙ୍କ ମୃତ୍ୟୁ ଖବର ବି ଆଣିଦେଲା କାହା ଜୀବନରେ ଖୁସି : ଆଦିତ୍ୟ ଦାଶଙ୍କ ବୃଦ୍ଧା ଶ୍ରମ ଅନ୍ତେବାସୀଙ୍କୁ ଟିଭିରେ ଦେଖିଲେ ଝିଅ ; ମାଆଙ୍କୁ ସାଥୀରେ ନେଇଯିବାକୁ ପହଁଚିଲେ ଭୁବନେଶ୍ୱର

1,010

କନକ ବ୍ୟୁରୋ : ମୃତ୍ୟୁ ପରେ ବି ମିଶାଇଦେଲେ । ମାଆ ଝିଅଙ୍କୁ କରାଇ ଦେଲେ ଏକାଠି । ବୃଦ୍ଧାଶ୍ରମରେ ଥିବା ମାଆଙ୍କୁ ସାଥୀରେ ନେଇ ଯିବାକୁ ଯାଜପୁରରୁ ଶାଶୁ ଘରୁ ଦୌଡି ଆସିଲା ଝିଅ । ଏପରି ଭାବରେ ମାନବପ୍ରେମୀଙ୍କ ମୃତ୍ୟୁ ଖବର ବି କାହା ଜୀବନରେ ଖୁସି ଆଣିଦେଇଛି ।  ଆଦିତ୍ୟ ଦାଶଙ୍କ ବୃଦ୍ଧା ଶ୍ରମରେ ଆଶ୍ରୟ ନେଇଥିଲେ ସ୍ନେହା ମାଉସୀ । ପରିବାରରେ ତାଙ୍କୁ ପୁଅ ମାନେ ପଚାରିଲେ ନାହିଁ । ଏପରି ସମୟରେ ଏକମାତ୍ର ଆଶ୍ରୟ ଦାତା ଓ ଭରସା ସାଜିଥିଲେ ମାନବପ୍ରେମୀ ଆଦିତ୍ୟ ଦାସ । ତେବେ ତାଙ୍କର ମୃତ୍ୟୁ ଖବର ଯେତେବେଳେ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା, ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀ ଆଦିତ୍ୟଦାଶଙ୍କୁ ଝୁରି ଝୁରି ବାହୁନିଥିଲେ । ଏପରି ସମୟରେ ଟିଭିରେ ମାଆଙ୍କୁ ବୃଦ୍ଧାଶ୍ରମରେ ଥିବାର ଦେଖିଥିଲେ ଝିଅ । ଆଉ ସାଥୀରେ ନେଇଯିବାକୁ ଆସି ପହଁଚିଛନ୍ତି ଆଦିତ୍ୟଦାସଙ୍କ ଭୁବନେଶ୍ୱର ବାସଭବନରେ  ।

ଦୀର୍ଘ ବର୍ଷ ପରେ ମାଆ ଝିଅ ପରଷ୍ପରକୁ ଭେଟିବା ପରେ ଆଖିରୁ ଲୁହ ଝରି ଆସିଛି । ଏ ଲୁହ ସଂପର୍କର ଲୁହ । ଭଲ ପାଇବାର ଲୁହ । ଜଣେ ମାଆ ପ୍ରତି ଝିଅର ଭଲ ପାଇବାର ଲୁହ । ଆଦିତ୍ୟଦାସଙ୍କ ମୃତ୍ୟୁ ପରେ ସ୍ନେହା ମାଉସୀ ତାଙ୍କ ଝିଅ ପାଖକୁ ଫେରୁଥିବାରୁ ଯେତିକି ଖୁସି, କିନ୍ତୁ ଆଦିତ୍ୟ ଦାସଙ୍କ ପରଲୋକ ତାଙ୍କୁ ଶକ୍ତ ଆଘାତ ଦେଇଛି ।