ନୂଆ ଜନ୍ମ ପରେ ମାତୃତ୍ୱର ସୁଖ । ମା’ ହେଲେ କିଡନୀ ପ୍ରତିରୋପଣ ହୋଇଥିବା ମହିଳା । କଟକ ବଡ଼ ମେଡ଼ିକାଲରେ ସଫଳ ହେଲା ଅସ୍ତ୍ରୋପଚାର ।

149

କନକ ବ୍ୟୁରୋ: ଏସସିବି ମେଡିକାଲରେ ସନ୍ତାନ ଜନ୍ମ କଲେ କିଡନୀ ପ୍ରତିରୋପଣ ହୋଇଥିବା ମହିଳା । ପ୍ରଥମ ଥର ପାଇଁ ମାଆ ହେଲେ କିଡନୀ ପ୍ରତିରୋପଣ ରୋଗୀ । ଗୁରୁବାର ଏସସିବି ସ୍ତ୍ରୀ ଓ ପ୍ରସୂତି ରୋଗ ୱାର୍ଡରେ ଜଣେ ଶିଶୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ବାଲେଶ୍ୱର ଅଞ୍ଚଳର ଯାଜ୍ଞସେନୀ ଜେନା ।

୨୦୧୯ ମସିହାରେ ଏସସିବିର ନେଫ୍ରୋଲୋଜି ବିଭାଗରେ ଯାଜ୍ଞସେନୀଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା । ଏଣ୍ଡୋକ୍ରାଇନୋଲୋଜି କାର୍ଡିଓଲୋଜି, ନେଫ୍ରୋଲୋଜି ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତର ଟିମ ଗଠନ କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା । ୨୦୧୭ ମସିହାରେ କିଡନୀ ଜନିତ ରୋଗରେ ପୀଡିତ ହେବା ପରେ ଏସସିବିରେ ଭର୍ତି ହୋଇଥଲେ । ଏହାପରେ ଡାଇଲେସିସ ହେବା ପରେ ୨୦୧୯ ମସିହାରେ ତାଙ୍କର ସଫଳ କିଡନୀ ପ୍ରତିରୋପଣ କରାଯାଇଥିଲା । ବିଭାଗୀୟ ମୁଖ୍ୟ ଡକ୍ଟର ଅରୁଣା ଆଚାର୍ଯ୍ୟଙ୍କ ଅଧୀନରେ ଗଠନ ହୋଇଥିବା ଏକ ଟିମଙ୍କ ଦ୍ୱାରା ଅପରେସନ ସଫଳ ହୋଇଥିଲା ।

୨୦୨୧ ମସିହାରେ ବିବାହ କରି ଗର୍ଭଧାରଣ ପରେ ଡାକ୍ତରଙ୍କ ନିରୀକ୍ଷଣରେ ରହିଥିଲେ ଯାଜ୍ଞସେନୀ । ଏହା ପରେ ପ୍ରସବ ପାଇଁ ତାଙ୍କୁ ଏସସିବିରେ ଭର୍ତ୍ତି ହୋଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ତାଙ୍କର ସଫଳ ଅସ୍ତ୍ରୋପଚାର ପରେ ତାଙ୍କର ସନ୍ତାନ ଜନ୍ମ ହୋଇଛି । ବର୍ତ୍ତମାନ ମାଆ ଓ ଶିଶୁ କନ୍ୟା ଉଭୟ ସୁସ୍ଥ ଥିବା କହିଛନ୍ତି ମେଡିକାଲ ପ୍ରଶାସନିକ ଅଧିକାରୀ । ଅନ୍ୟପଟେ ମେଡିକାଲରେ ଯାଜ୍ଞସେନୀଙ୍କ ସନ୍ତାନ ଜନ୍ମ ପରେ ଖୁସି ପ୍ରକଟ କରିଛନ୍ତି ତାଙ୍କ ସ୍ୱାମୀ ।