ପୋଡା ଲେମ୍ବୁ ଓ ଗୁଡରେ ଚାଲିଛି କିଡନୀ ରୋଗ ଚିକିତ୍ସା । ସ୍ୱପ୍ନାଦେଶ ପାଇବା ପରେ ଔଷଧ ପ୍ରସ୍ତୁତ କରି ରୋଗୀଙ୍କୁ ଦେଉଛନ୍ତି ମା’ କାଳୀଙ୍କ ସାଧକ ।

1,080

କନକ ବ୍ୟୁରୋ : କିଡନୀ ରୋଗ ନିରାକରଣ ଲାଗି ପୋଡା ଲେମ୍ବୁ ଚିକିତ୍ସା । ଏକବିଂଶ ଶତାବ୍ଦିରେ ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଉଥିବ । ମାଲକାନଗିରିରେ ଜଣେ ମହିଳାଙ୍କ ପୋଡା ଲେମ୍ବୁ ଚିକିତ୍ସା ଯୋଗୁ ଅନେକ କିଡନୀ ରୋଗୀ ଭଲ ହେଉଥିବା ନେଇ ଅଂଚଳରେ ଜୋରଦାର ଚର୍ଚ୍ଚା ହେଉଛି । ମାଆ କାଳିଙ୍କ ସାଧନା ଓ ସ୍ୱପ୍ନାଦେଶରେ ଦିଆଯାଇଥିବା ଔଷଧ ଟିକିଏ ପାଇବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରରୁ ଛୁଟି ଆସନ୍ତି କିଡନୀ ରୋଗୀ । ଆଉ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ମାଲକାନଗିରି ଜିଲ୍ଲା ଏମ.ଭି ୧୦୪ ଗାଁରେ କିଡନୀ ରୋଗୀଙ୍କ ପ୍ରବଳ ଭିଡ ଜମୁଛି ।

କିଡନୀ ରୋଗର ପୋଡା ଲେମ୍ବୁ ଚିକିତ୍ସା । ବିଜ୍ଞାନ ଯୁଗରେ ଦେଶୀ ଚିକିତ୍ସା । ମାଲକାନଗିରି ଜିଲ୍ଲାରେ କିଡନୀ ରୋଗର ପୋଡା ଲେମ୍ବୁ ଚିକିତ୍ସା କରାଯାଉଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରୋଗୀଙ୍କ ଭିଡ ଲାଗିଥିବା ଏହି ଚିତ୍ରଟି କୌଣସି ଘରୋଇ କି ସରକାରୀ ଡାକ୍ତରଖାନାର ନୁହେଁ । ଏ ହେଉଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଏମ.ଭି ୧୦୪ ଗାଁରେ ଥିବା ତରୁଲତା ସରକାରଙ୍କ ବାସଭବନର । ବାହାରେ ରୋଗୀ ଆଉ ଭିତରେ ମାଆ କାଳୀଙ୍କ ସାଧନା କରୁଛନ୍ତି ତରୁଲତା । ଆଉ ସାଧନା ପରେ ଆରମ୍ଭ ହୁଏ ଔଷଧ ପ୍ରସ୍ତୁତିର ପର୍ବ ।

୧. ପ୍ରତି ରୋଗୀ ପାଇଁ ୩ଟି ଲେଖାଏଁ ଲେମ୍ବୁୁକୁ ନିଆଁରେ ପୋଡାଯାଏ ।
୨. ପୋଡା ଲେମ୍ବୁ ଓ ଗୁଡକୁ ଶିଳରେ ବାଟି କିଡନୀ ରୋଗୀଙ୍କୁ ନିଜ ହାତରେ ଖୁଆଇ ଦେଇଥାନ୍ତି ତରୁଲତା ।
୩. ଏହାପରେ ମାଆ କାଳୀଙ୍କ ଫଟୋ ଧୁଆ ପାଣି ରୋଗୀଙ୍କ ମୁଣ୍ଡରେ ପକାଇଥାନ୍ତି ।

ତରୁଲତାଙ୍କ ଏହି ଚିକିତ୍ସା ପଦ୍ଧତିରେ ସାମିଲ ହେବା ପାଇଁ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ଲୋକଙ୍କ ଭିଡ ଜମୁଛି । ଛତିଶଗଡ ଚିନ୍ତଲନାର ଅଂଚଳର ୧୨ ବର୍ଷର ବାଳକ ରୋହିତ ଶୁକ୍ଲା । ବର୍ଷେ ହେବ କିଡନୀ ରୋଗରେ ପୀଡିତ ପୁଅର ଚିକିତ୍ସା ପାଇଁ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ର ଓ ତାମିଲନାଡୁର ବହୁ ବଡବଡ ଡାକ୍ତରଖାନା ବୁଲି ସାରିଛନ୍ତି ପରିବାର ଲୋକେ । ହେଲେ କିଛି ଲାଭ ନମିଳିବାରୁ ପରିବାର ଲୋକ ଏବେ ତରୁଲତାଙ୍କ ଘରେ ପହଂଚିଛନ୍ତି ।

ମାଲକାନଗିରି ଜିଲ୍ଲାରେ ନଳକୁପ ପାଣିରେ ଆଇରନର ପରିମାଣ ଅଧିକ ଥିବାରୁ ପ୍ରାୟ ପ୍ରତି ଗାଁରେ କିଡନୀ ରୋଗୀ ଅଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୬-୧୭ ବର୍ଷରେ ୪୨ ଓ ୨୦୧୭-୧୮ରେ ୬୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲେସିସ ସେଂଟର ହେବା ପରେ ମୃତ୍ୟୁ ସଂଖ୍ୟା କିଛି ଟା କମିଛି । ତେବେ ଡାକ୍ତରଖାନାରେ ସବୁ ସୁବିଧା ଥାଇ ବି ଦେଶୀ ପଦ୍ଧତି ଉପରେ ଆସ୍ଥା ଜମାଇଛନ୍ତି ଆଜି କାଲିର ଶିକ୍ଷିତ ମଣିଷ ।