କନକ ବ୍ୟୁରୋ: ସରକାରୀ ଆବାସ ପାଲଟିଛି ସାତ ସପନ । ଦଦରା କୁଡିଆରେ ବିତୁଛି ୮ ପ୍ରାଣୀ କୁଟୁମ୍ବଙ୍କ ଦୁର୍ବିସହ ଜୀବନ । ମୁଣ୍ଡ ଗୁଂଜିବାକୁ ପକ୍କା ଘରଖଣ୍ଡେ ପାଇଁ ବାରମ୍ବାର ସରକାରୀ ବାବୁଙ୍କ ନିକଟରେ ନେହୁରା କଲେବି ତାଙ୍କ ପ୍ରତି ପଡୁନି ପ୍ରଶାସନର ନଜର । ଏମିତିରେ ରୋଷେଇ ପାଇଁ ଜାଗା ନଥିବାରୁ ଗୋରୁ ଗୁହାଳ ପାଲଟିଛି ହାଣ୍ଡିଶାଳ । ରାସନ ସାମଗ୍ରୀ ମଧ୍ୟ ମିଳୁନି । ଏବେ କେବଳ ଭାଗ୍ୟକୁ ଆଦରି ବଞ୍ଚିଛି ବୋଲି କୋହଭରା କଣ୍ଠରେ କହିଛନ୍ତି ମୟୂରଭଂଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ ଅଧୀନ ଦାଉଁଡିଆ ଗାଁର ମଙ୍ଗଲା ସିଂ ।

Advertisment

ବର୍ଷ ବର୍ଷ ଧରି ଏମିତି ଦୟନୀୟ ସ୍ଥିତିରେ ଜୀବନ କାଟୁଛନ୍ତି ମଙ୍ଗଲାଙ୍କ ପୂରା ପରିବାର । ୮ ପ୍ରାଣୀ କୁଟୁମ୍ବଙ୍କ ସହ ଏକ ଭଙ୍ଗା ଦଦରା ଘର ଭିତରେ ମୁଣ୍ଡ ଗୁଂଜିଛନ୍ତି ମୟୂରଭଂଜ ଗୋପବନ୍ଧୁନଗର ବ୍ଲକ୍ ଅଧୀନ ଦାଉଁଡିଆ ଗାଁର ମଙ୍ଗଲା ସିଂ । ଘରର ଆର୍ଥିକ ସ୍ଥିତି ସେତେଟା ଭଲ ନଥିବାରୁ ଏଭଳି ସ୍ଥିତିରେ ନିଜ ପାଇଁ ଘରଟିଏ ତୋଳିବାକୁ ଅସମର୍ଥ ମଙ୍ଗଲା । ତେଣୁ ସରକାରୀ ଯୋଜନାରେ ଘରଟି ପାଇଁ ଅନେକ ଥର ସରକାରୀବାବୁଙ୍କ ପାଖରେ ଗୁହାରୀ କରିଛନ୍ତି ମଙ୍ଗଲା । ହେଲେ ଘର ଖଣ୍ଡେ କେବେ ମିଳିବ ତାହା ତାଙ୍କୁ ଜଣାନାହିଁ ।

ଦାରିଦ୍ର ସୀମା ରେଖା ତଳେ ମଙ୍ଗଲାଙ୍କ ପରିବାର ଏହାରି ଭିତରେ ଅନେକ ଝଡ ବତାସର ସାମ୍ନା ମଧ୍ୟ କରିସାରିଲେଣି । ତେବେ ଯୋଗ୍ୟ ହିତାଧୀକାରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ସତ୍ୱେ ବି ମଙ୍ଗଲାଙ୍କ ପାଇଁ ସରକାରୀ ଯୋଜନା ଯେମିତି ଉପହାସ ପାଲଟିଯାଇଛି । ତେବେ ଏନେଇ ସେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇସାରିଛନ୍ତି ହେଲେ ଏଯାବତ୍ କୌଣସି ସୁଫଳ ମିଳିପାରିନି । ଗରିବଙ୍କ ମୁଣ୍ଡ ଉପରେ ଛାତଟିଏ ଦେବା ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । ଆଉ ସରକାରଙ୍କ ଏହି ଯୋଜନା ଭିତରେ କେବେ ସାମିଲ ହେବେ ମଙ୍ଗଲାଙ୍କ ପରିବାର ତାହା ଆଗାମୀ ଦିନରେ ଜଣାପଡିବ ।