ରାଜଧାନୀରୁ ଆସିଲା ଟିକା ଚୋରି ଅଭିଯୋଗ । ଟିକା ନନେଇ ମୋବାଇଲକୁ ଆସୁଛି ଟିକା ଗ୍ରହଣ କରିଥିବା ମେସେଜ, ସୁବର୍ଣ୍ଣା ଆଣିଲେ ସାଂଘାତିକ ଅଭିଯୋଗ ।

372

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆସିଛି କରୋନା ଟିକା ଚୋରି ଅଭିଯୋଗ । ବମିଖାଲରେ ସୁବର୍ଣ୍ଣା  ଭୋଇ ନାମକ ଜଣେ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ସେ ଟିକା ନେଇ ନାହାନ୍ତି, ହେଲେ ତାଙ୍କ ମୋବାଇଲକୁ ସଫଳତାପୂର୍ବକ ଟିକା ଗ୍ରହଣ କରିଥିବା ନେଇ ମେସେଜ ଆସିଛି । ଏହାପରେ ଟିକାକେନ୍ଦ୍ରକୁ ସୁବର୍ଣ୍ଣା ଯିବା ପରେ କେନ୍ଦ୍ରରେ ଥିବା ଅଧିକାରୀ ଆପଣ ଟିକା ନେଇସାରିଛନ୍ତି ବୋଲି କହି ବିଦା କରିଦେଇଥିଲେ ।

ଅଭିଯୋଗ ଅନୁସାରେ ସୁବର୍ଣ୍ଣା ଏପ୍ରିଲ ୨୯ ତାରିଖରେ ଟିକା ନେବା ପାଇଁ କୋ-ୱିନ ଆପରେ ନାମ ପଞ୍ଜୀକରଣ କରିଥିଲେ । ନାମ ପଞ୍ଜିକରଣ ପରେ ସ୍ପର୍ଶ ହସ୍ପିଟାଲରେ ଏପ୍ରିଲ ୩୦ ତାରିଖରେ ଟିକା ନେବା ପାଇଁ ସ୍ଲଟ ବୁକିଂ ହୋଇଥିଲା । ହେଲେ କୌଣସି କାରଣରୁ ସୁବର୍ଣ୍ଣା ୩୦ ତାରିଖରେ ଟିକା ନେବାକୁ ଯାଇପାରିନଥିଲେ । ମେ ୧ ତାରିଖରେ ସୁବର୍ଣ୍ଣାଙ୍କ ମୋବାଇଲକୁ ଟିକା ନେଇସାରିଥିବା ମେସେଜ ଆସିଛି । ତେଣୁ ତାଙ୍କ ନାଁରେ ଅନ୍ୟ କେହି ଟିକା ନେଇଥିବା ଅଭିଯୋଗ କରିଛନ୍ତି ସୁବର୍ଣ୍ଣା ଭୋଇ ।