କନକ ବ୍ୟୁରୋ: ୪ ଜଣ ମହିଳା ଏକାଠି ମାଛ ଧରିବାକୁ ଯାଇଥିଲେ, ହେଲେ ଜଣଙ୍କୁ ଟାଣିନେଲା କୁମ୍ଭୀର । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ।
ଶନିବାର ଅପରାହ୍ଣରେ ଖରିନାସୀ ପଞ୍ଚାୟତ ୬ ନମ୍ବର ୱାର୍ଡର କୌଶଲ୍ୟା ମଣ୍ଡଳଙ୍କ ସମେତ ୪ ଜଣ ମହିଳା ମାଛ ଧରିବାକୁ ନିକଟରେ ଥିବା ଜୋରକୁ ଯାଇଥିଲେ । ହଠାତ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା । ତାଙ୍କ ସହ ଯାଇଥିବା ମହିଳା କହିଛନ୍ତି, କୌଶଲ୍ୟାଙ୍କ ଡାକ ଶୁଣି ପଛକୁ ଫେରି ଚାହିଁଲା ବେଳକୁ ପାଣିରେ ବୁଡାଇ ସାରିଥିଲା କୁମ୍ଭୀର । ପାଟି ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଧଘଣ୍ଟା ଧରି କୌଶଲ୍ୟାଙ୍କ ପତ୍ତା ମିଳିନଥିଲା । ଖୋଜାଖୋଜି କରିବା ପରେ ଲୋକଙ୍କ ଚିକ୍ରାର ଶୁଣି କୁମ୍ଭୀର ଛାଡ଼ି ପଳାଇଥିଲା । କୌଶଲ୍ୟା ପାଣିରେ ଭାସି ଉଠିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କଲା ବେଳକୁ ସେ ମରି ସାରିଥିଲେ ।
ଶରୀରର ଅନେକ ସ୍ଥାନରେ କୁମ୍ଭୀର କାମୁଡ଼ା ଚିହ୍ନ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । କୌଶଲ୍ୟା ଅତି ଗରିବ ପରିବାରର । ଜୋରରେ ମାଛ ଧରି ସେ ପେଟ ପୋଷନ୍ତି । ପୂର୍ବରୁ ଜୋରରେ ତାର ଜାଲି ଦେବାକୁ ବନ ବିଭାଗକୁ ବାରମ୍ବାର ନିବେଦନ କରିଥିବା କହିଛନ୍ତି ଗ୍ରାମବାସୀ । କିନ୍ତୁ ବନବିଭାଗ ସେଥିପ୍ରତି କର୍ଣ୍ଣପାତ କରିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।