ପଶ୍ଚିମବଙ୍ଗରୁ ତଡା ଖାଇବା ପରେ ଓଡ଼ିଶାରେ ଏମିତି ଠକାମୀର ଜାଲ ବିଛାଇଛନ୍ତି ବଙ୍ଗୀୟ ମହିଳା । ଚିହ୍ନିଥାନ୍ତୁ ଏହି ମହିଳାଙ୍କୁ ।
କନକ ବ୍ୟୁରୋ : ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଯେତେ ସତର୍କ ହେଉଛି, ଟଙ୍କା ପଇସା ଲୁଟର ସେତିକି ନୂଆ ନୂଆ ତରିକା ବାହାର କରୁଛନ୍ତି ଅପରାଧୀ । ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ତଡିପାର ହୋଇଥିବା ଜଣେ ଧୂର୍ତ ମହିଳା ପୁରୀର ଜଣେ ବ୍ୟବସାୟୀଙ୍କୁ ଭୁବନେଶ୍ୱରରେ ଲୁଟି ନେଇଛନ୍ତି । ଠକି ସେହିପରି ପ୍ରାକୃତିକ ଦୁର୍ବିପାକରେ ସବୁକିଛି ହରାଇ ଥିବା କହି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି ବେଶ ସରଳ ଦେଖାଯାଉଥିବା କିଛି ନାବାଳିକା ।
ଟିକେ ଭଲକରି ଦେଖନ୍ତୁ ଏହି ମହିଳାଙ୍କୁ । ୩୯ ବର୍ଷୀୟ ଏହି ବଙ୍ଗୀୟ ମହିଳା ନିଜକୁ ଅଧ୍ୟାପିକା ଓ ବୀମା କମ୍ପାନିର ଏଜେଣ୍ଟ ବୋଲି ପରିଚୟ ଦେଇ ସମ୍ପର୍କ ବଢାଇବା ପରେ ଜଣେ ବ୍ୟବସାୟୀଙ୍କୁ ଲୁଟିଥିଲେ । ଫେସବୁକ ଓ ହ୍ୱାଟ୍ସଆପରେ ବନ୍ଧୁତା କରିବା ପରେ ଲୋକଙ୍କୁ ଚୂନା ଲଗାଉଥିବା ଏହି ମହିଳାଙ୍କ ନାଁ ପୀୟୁ ।
ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ତଡିପାର ହୋଇଥିବା ଏହି ଧୂର୍ତ ଠକ ପୁରୀର ଜଣେ ବ୍ୟବସାୟୀଙ୍କୁ ଭୁବନେଶ୍ୱରରେ ଲୁଟି ନେଇଥିଲେ । କିଛି ଦିନର ବନ୍ଧୁତା ପରେ ମିଠାମିଠା କଥା କହି ବ୍ୟବସାୟୀଙ୍କ ସହ ସମ୍ପର୍କ ବଢାଇବା ପରେ ଭୁବନେଶ୍ୱର ବାଙ୍କୁଆଳରେ ଥିବା ତାଙ୍କ ଫ୍ଲାଟରେ ରାତି ବିତାଇଥିଲେ । ସୁଯୋଗକ୍ରମେ ବ୍ୟବସାୟୀଙ୍କ ଖାଦ୍ୟରେ ନିଶା ମିଶାଇ ଟଙ୍କା, ସୁନା ଓ ଦାମୀ ମୋବାଇଲ ଚୋରି କରି ଫେରାର ମାରିଥିଲେ । ପଶ୍ଚିମବଙ୍ଗର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ମହିଳା ଜଣକ ପୁରୀ ବଳିଆପଣ୍ଡା ଅଞ୍ଚଳରେ ରୁହନ୍ତି । ପୋଲିସରେ ଅଭିୟୋଗ ପରେ ତାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।
ବେସଭୁସାରୁ ବେଶ ସରଳ ମନେ ହେଉଥିଲେ ବି ଏହି ନାବାଳିକାଙ୍କ କାମ ଅତି ସାଂଘାତିକ । ଟଙ୍କା ଲୁଟର ନୂଆ ଫର୍ମୁଲା ବାହାର କରିଛନ୍ତି ଏମାନେ । ପ୍ରାକୃତିକ ଦୁର୍ବିପାକରେ ଘରଦ୍ୱାର ହରାଇଥିବା କହି ଲୋକଙ୍କଠୁ ସାହାଯ୍ୟ ଆଳରେ ପଇସା ଲୁଟୁଛନ୍ତି । ନିଜକୁ ଅସହାୟ କହି ଅନୁଦାନ ନାଁରେ ଲୋକଙ୍କୁ ଠକି ପଇସା ରୋଜଗାର କରୁଥିବାବେଳେ ସନ୍ଦେହରେ କିଛିଲୋକ ପୋଲିସକୁ ସୂଚନା ଦେଇଥିଲେ । ଖଣ୍ଡଗିରି ଥାନା ପୋଲିସ ତିନି ନାବାଳିକାଙ୍କୁ ଆଣି ପଚରା ଉଚରା କରିଛି ।
ମିଠାମିଠା କଥା କହି ବନ୍ଧୁତା କରିବା ପରେ ଘରୁ ଟଙ୍କା ସୁନା ଲୁଟି ନେଉଛନ୍ତି ମହିଳା । ଅନ୍ୟପଟେ ନିଜକୁ ଅସହାୟ ଦର୍ଶାଇ ସାହାଯ୍ୟ ନାଁରେ ଲୋକଙ୍କୁ ଚୁନା ଲଗାଉଛନ୍ତି ନାବାଳିକା । ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଯେତେ ସତର୍କ ହେଉଛି, ଟଙ୍କା ପଇସା ଲୁଟର ନୂଆ ନୂଆ ତରିକା ବାହାର କରୁଛନ୍ତି ଅପରାଧୀ ।