କନକ ବ୍ୟୁରୋ: ଫୁଟପାଥରେ ଯାଉଥିଲେ ୫ ଜଣ ଯୁବତୀ । ହେଲେ ହଠାତ୍ ପଛପଟୁ ଦ୍ରୁତଗତିରେ ମାଡିଆସିଲା କାର ଏବଂ ସେମାନଙ୍କ ଉପରେ ଚଢିଗଲା । ଫଳରେ ସେମାନଙ୍କ ମଧ୍ୟରୁ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ଜଣ ଯୁବତୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ମାଙ୍ଗାଲୋର ସିଟି କର୍ପୋରେସନ୍ ସ୍ୱିମିଙ୍ଗ ପୁଲ ନିକଟରେ ।

Advertisment

ମୃତ ଯୁବତୀ ହେଉଛନ୍ତି ୨୩ ବର୍ଷୀୟ ରୂପଶ୍ରୀ। ଆହତମାନେ ହେଉଛନ୍ତି, ୨୬ ବର୍ଷୀୟ ସ୍ବାତୀ, ୧୬ ବର୍ଷୀୟ ହିତନୱି, ୧୬ ବର୍ଷୀୟ କୃତ୍ତିକା ଓ ୧୨ ବର୍ଷୀୟ ଯତିକା। ଆହତମାନେ ବିପଦମୁକ୍ତ ଅଛନ୍ତି। ପୁଲିସର କହିବା ମୁତାବକ, ଯୁବତୀ ଓ ଝିଅମାନେ ଏସ୍‌. ଏଲ୍‌. ଶେଟ୍‌ ଜୁଏଲର୍ସ ଅପରପାଶ୍ୱର୍ରେ କୁଡ୍ରୋଲିରୁ ଲେଡି ହିଲ୍‌ ସର୍କଲ୍‌କୁ ପଡ଼ିଥିବା କୁଲୂର ଫେରି ରୋଡ୍‌ ଫୁଟ୍‌ପାଥ୍‌ ଉପରେ ଚାଲି ଚାଲି ଯାଉଥିଲେ। ଅଭିଯୁକ୍ତ କାର୍‌ ଚାଳକ ବି ସେହି ରାସ୍ତାରେ ଯାଉଥିଲେ। କିନ୍ତୁ, ସେ ବେପରୁଆ ଭାବେ ଚଳାଉ ଥିବା କାର୍‌ଟି ଫୁଟ୍‌ପାଥ୍‌ ଉପରକୁ ଉଠିଯାଇ ଆଗରେ ଯାଉଥିବା ଝିଅମାନଙ୍କୁ ଧକ୍କା ଦେଇଥିଲା।

କାର୍‌ ଧକ୍କା ଖାଇବା ପରେ ବି ବ୍ୟବସାୟୀ କମଳେଶ ବଳଦେବ ନ ଅଟକି ଦ୍ରୁତ ବେଗରେ ଘଟଣାସ୍ଥଳରୁ କାର୍‌ ନେଇ ପଳାଇଥିଲେ। ତା’ପରେ ସେ ଗୋଟାଏ କାର୍‌ ମରାମତି ଦୋକାନ ଆଗରେ କାର୍‌ ରଖି ଘରକୁ ଫେରିଯାଇଥିଲେ। ଘରୁ ବାପାଙ୍କୁ ସାଥିରେ ନେଇ ‘ଟ୍ରାଫିକ୍‌ ୱେଷ୍ଟ୍‌ ପୋଲିସ୍‌ ଷ୍ଟେସନ୍‌‌’ରେ (ଥାନା) ପହଞ୍ଚିଥିଲେ। କାର୍‌ ଝିଅମାନଙ୍କୁ ଧକ୍କା ଦେଉଥିବାର ଦୃଶ୍ୟ ମଧ୍ୟ ‘ସିସିଟିଭି’ରେ ଉତ୍ତୋଳିତ ‌ହୋଇଛି। ସେମାନେ ଦଶହରା ଉତ୍ସବ ଦେଖି କୁଡ୍ରୋଲି ମନ୍ଦିରରୁ ଫେରୁଥିଲେ। ଗୁରୁତର ଆହତ ହୋଇଥିବା ରୂପଶ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତା’ର ମୃତ୍ୟୁ ଘଟିଲା। ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।