ବାଲେଶ୍ୱର ଔପଦାରୁ ଆସିଲା ଅଭାବନୀୟ ଚିତ୍ର । ପ୍ରସବ ବେଦନା ସତ୍ତେ୍ୱ ଚାଲିଲେ ୨୫ କିଲୋମିଟର, ସଙ୍ଗରୋଧ କେନ୍ଦ୍ରରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ପଶ୍ଚିମବଙ୍ଗର ମହିଳା ।

261

କନକ ବ୍ୟୁରୋ: ୨୫ କିଲୋମିଟର ଚାଲିବା ପରେ ସଙ୍ଗରୋଧ କେନ୍ଦ୍ରରେ ପ୍ରସବ କଲେ ମହିଳା । ବାଲେଶ୍ୱର ଔପଦା ବ୍ଳକ୍ ପଥରପଦାର ଏହି ମହିଳା ଜଣକ ପଶ୍ଚିମବଙ୍ଗରୁ ବସରେ ଆସି ସୋରରେ ପହଁଚିଥିିଲେ । ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଦୀର୍ଘ ୨୫ କିଲୋମିଟର ଚାଲି ଚାଲି ପହଁଚିଥିଲେ ଔପଦାରେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା ।

ଗତକାଲି ରାତିରେ ମହିଳା ଜଣକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ସଂପୃକ୍ତ ମହିଳା ଅସୁସ୍ଥ ହୋଇପଡିଥିଲେ । ଔପଦା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମେଡିକାଲ ଟିମ୍ ନେଇ ମହିଳାଙ୍କ ଚିକିତ୍ସା କରିଥିଲେ । ଏପରିକି ଅଟୋ ବ୍ୟବସ୍ଥା କରି ମହିଳାଙ୍କୁ ଘରକୁ ପଠାଇବାକୁ ଉଦ୍ୟମ କରିଥିଲେ । ତେବେ ସ୍ଥାନୀୟ ଲୋକ ଅଟୋକୁ ଅଟକ ରଖି ଗାଁରେ ପ୍ରବେଶ କରିବାକୁ ବିରୋଧ କରିଥିଲେ । ସଂପୃକ୍ତ ମହିଳାଙ୍କୁ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖି ଚିକିତ୍ସା କରାଯାଉଛି ।