‘ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ପଛରେ ମୋ ସ୍ୱାମୀଙ୍କ ଷଡଯନ୍ତ୍ର’ । ଦିଲ୍ଲୀ ପୁଲିସକୁ ଲିଖିତ ଅଭିଯୋଗ କଲେ ସାନଭି ମାଲୁ

308

କନକ ବ୍ୟୁରୋ: ହୋଲି ପରଦିନ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ରହସ୍ୟ ନେଇ ଲିଖିତ ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ ବିକାଶ ମାଲୁଙ୍କ ପତ୍ନୀ ସାନଭି ମାଲୁ । ସତୀଶଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ତଥା କୁବେର ଗ୍ରୁପ୍ ଅଫ୍ କମ୍ପାନୀର ମାଲିକ ବିକାଶ ମାଲୁଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ସାନଭି ମାଲୁ । ଏନେଇ ସେ ପୁଲିସରେ ଲିଖିତ ଅଭିଯୋଗ କରିବା ସହ ଗଣମାଧ୍ୟମରେ ଗୁମର ଖୋଲିଛନ୍ତି ।

ସାନଭି କହିଛନ୍ତି ଯେ, ‘ହୋଲି ଦିନ ସତୀଶ ଜୀ ତାଙ୍କ ସ୍ୱାମୀଙ୍କ ଫାର୍ମ ହାଉସକୁ ଯାଇଥିଲେ । ତା’ ପରେ ତାଙ୍କର ମୃତ୍ୟୁ ହୋଇଛି । ଫାର୍ମ ହାଉସରୁ କିଛି ମେଡିସିନ୍ ମିଳିଛି । କଥା ଏତିକିରେ ସରୁନାହିଁ ।ଏହା ପୂର୍ବରୁ ୨୦୨୨ ଅଗଷ୍ଟ ମାସରେ ସତୀଶ ଜୀ ଓ ବିକାଶ ମାଲୁଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ଯୁକ୍ତତର୍କ ହୋଇଥିଲା । ସତୀଶ ଜୀ ବିକାଶ ମାଲୁଙ୍କୁ ପୂର୍ବରୁ ୧୫ କୋଟିି ଟଙ୍କା ଧାର ଦେଇଥିଲେ । ଟଙ୍କା ଫେରିନପାଇବାରୁ ଟଙ୍କା ମାଗିଥିଲେ । ହେଲେ ଟଙ୍କା ଫେରାଇବା ଉଦ୍ଦେଶ୍ୟରେ ନଥିଲେ ବିକାଶ ମାଲୁ । ଏ ବିଷୟରେ ସାନଭି ବିକାଶଙ୍କୁ ପଚାରିବାରୁ ସେ ଏକଥା ସୂଚନା ଦେଇଥିଲେ । ଆହୁରି କହିଥିଲେ ଯେ, ସେ ଏତେ ଟଙ୍କା ଫେରାଇ ପାରିବେ ନାହିଁ ବରଂ ତାଙ୍କୁ ରାସ୍ତାରୁ ହଟାଇଦେବେ । ଏବେ ଯେତେବେଳେ ମୃତ୍ୟୁ ପୂର୍ବରୁ ସତୀଶ ବିକାଶଙ୍କ ଫାର୍ମହାଉସକୁ ଯାଇଥିଲେ ଏବଂ ସେଠାରୁ କିଛି ସନ୍ଦେହଜନକ ମେଡିସିନ୍ ଉଦ୍ଧାର ହୋଇଛି, ତେଣୁ ସତୀଶ କୌଶିକଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ ବିକାଶ ମାଲୁଙ୍କ ହାତ ଥିବା ସନ୍ଦେହ ଘନୀଭୂତ ହେଉଛି’ କହିଛନ୍ତି ସାନଭି ମାଲୁ ।