ସୁନା ଝିଙ୍କିଲେ, ଜୀବନ ନେଲେ । ଜାତୀୟ ରାଜପଥରେ ଏମିତି ଚାଲିଗଲା ପ୍ରତିମାଙ୍କ ଜୀବନ?

2,765

କନକ ବ୍ୟୁରୋ : ମହିଳାଙ୍କ ଜୀବନ ନେଇଗଲେ ଲୁଟେରା । ଲୁଟେରାଙ୍କ ଆକ୍ରମଣରେ ଚଳନ୍ତା ବାଇକରୁ ତଳକୁ ପଡି ମହିଳାଙ୍କ ମୃତ୍ୟୁ । ଲୁଟ୍ ଉଦେଶ୍ୟରେ ଲୁଟେରାମାନେ ମହିଳାଙ୍କ ସୁନା ଅଳଙ୍କାର ଛଡାଇ ନେଉଥିବା ବେଳେ ବାଇକରୁ ତଳକୁ ପଡି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଗଙ୍ଗପଡ଼ା ଟୋଲ ଗେଟ ନିକଟରେ । ପୁଅ ସହ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ସନ୍ଧ୍ୟା ସମୟରେ ୪ ଲୁଟେରା ଦୁଇଟି ବାଇକରେ ତାଙ୍କୁ ପିଛା କରିଥିଲେ । ସୁନା ଚେନ ଝାମ୍ପି ନେବାକୁ ଚେଷ୍ଟା କରୁଥିବା ବେଳେ ମହିଳା ଜଣଙ୍କ ବାଇକରୁ ତଳକୁ ପଡିଯାଇଥିଲେ । ଘଟଣା ସ୍ଥଳରେ ପିସିଆର ଭ୍ୟାନ ପହଂଚି ତାଙ୍କୁ ଏମ୍ସ ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପ୍ରତିମା ବରାଳ । ବେକରୁ ସୁନା ଚେନ ଝାମ୍ପିନେବା ବେଳେ ସ୍କୁଟିରୁ ତଳେ ଖସିପଡି ତାଙ୍କର ମହିଳାଙ୍କ ମୃତ୍ୟୁ ହୋଇଛି । ଲୁଟେରାଙ୍କ ମନ ସୁନାରେ । ମଣିଷ ମଲେ କେତେ, ଗଲେ କେତେ ତାଙ୍କର ଯାଏ ଆସେ କଣ । ଟଙ୍କା, ସୁନା ଲୋଭରେ ଲୁଟ କରୁଥିବା ଲୁଟେରାମାନେ କେତେ ନିଷ୍ଠୁର, ତାହା ଏହି ଘଟଣାରୁ ଆପଣ ଅନୁମାନ କରିପାରୁଥିବେ । ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଗଙ୍ଗପଡା ଟୋଲ ଗେଟ ନିକଟରେ ଏକ ସ୍କୁଟିରେ ଗଲାବେଳେ ପ୍ରତିମାଙ୍କୁ ଦୁଇଟି ବାଇକରେ ପିଛା କରିଥିଲେ ୪ ଲୁଟେରା । ସ୍କୁଟି ପଛରେ ବସିଥିବା ବେଳେ ଲୁଟେରାମାନେ ପ୍ରଥମେ ତାଙ୍କ ସୁନା ଚେନ୍ ଛଡାଇ ନେଇଥିଲେ । ପରେ ସେ ହାତରେ ପିନ୍ଧିଥିବା ଏକ ସୁନା ବଳା ନେବାକୁ ଚେଷ୍ଟା କଲାବେଳେ ହାତକୁ ଧରି ଟାଣିଦେବାରୁ ଚଳନ୍ତା ସ୍କୁଟିରୁ ଖସିପଡିଥିଲେ ପ୍ରତିମା । ହେଲମେଟ ପିନ୍ଧିଥିଲେ ସୁଦ୍ଧା ମହିଳାଙ୍କ ପଛ ପଟ ମୁଣ୍ଡ ମାଡ ହୋଇଯିବାରୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱରରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଥିଲେ ପ୍ରତିମା । ଗତକାଲି ସନ୍ଧ୍ୟାରେ ସେ ଭୁବନେଶ୍ୱରରୁ ତାଙ୍କ ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ଘଟଣା ସ୍ଥଳରେ ପିସିଆର ଭ୍ୟାନ ପହଂଚି ତାଙ୍କୁ ଏମ୍ସ ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏଭଳି ବହୁତ ଘଟଣା ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ହାଇୱେ ପାଟ୍ରୋଲିଂ ଠିକ୍ ଭାବେ କରାଯାଉନଥିବାରୁ ଏଭଳି ଘଟଣାର ପୁନରାବୃତି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।