କନକ ବ୍ୟୁରୋ: ବିବାହର ୧୮ ବର୍ଷ ଯାଏଁ ମହିିଳାଙ୍କ କିଛି ସନ୍ତାନ ସନ୍ତତି ନହେଉଥିବାରୁ ପରିବାର ଲୋକଙ୍କ ସହ ସାହିପଡିଶାଙ୍କ ଟାହିଟାପରାରର ଶିକାର ହେଉଥିଲେ ମହିଳା । ଶେଷରେ ଏକ ବନ୍ଧ୍ୟାଦୋଷରୁ ମୁକ୍ତ ହେବାକୁ ରବର କଣ୍ଢେଇକୁ ଜନ୍ମ ଦେଲେ ମହିଳା । ଏପରି ଆଶ୍ଚର୍ଯ୍ୟକର ଘଟଣା ଘଟିିଛି ଉତ୍ତରପ୍ରଦେଶର ଇଟାୱାରେ ।

ମହିଳା ଜଣକ ୧୮ ବର୍ଷ ତଳେ ବିବାହ କରିଥିଲେ। ସନ୍ତାନ ନ ହେବାକୁ ପରିବାର ପକ୍ଷରୁ ତାଙ୍କୁ ନିତି ଖୁଣ୍ଟା ଦିଆଯାଉଥିଲା। ତାକୁ ସହି ନ ପାରି ଶେଷକୁ ସେ ଏକ କାହାଣୀ ଫାନ୍ଦିଲେ। ନିଜେ ଗର୍ଭବତୀ ଅଛନ୍ତି ବୋଲି ସମସ୍ତଙ୍କୁ କହିଲେ। ପରିବାର ଲୋକଙ୍କ ସନ୍ଦେହ ମୋଚନ ପାଇଁ ନିୟମିତ ଭାବେ ସ୍ଥାନୀୟ କମ୍ୟୁନିଟ୍ ହେଲ୍ଥ ସେଣ୍ଟରକୁ ଚେକ୍ଅପ୍ କରାଇବାକୁ ବି ଯାଆନ୍ତି। କିନ୍ତୁ ହଠାତ୍ ଛଅମାସ ପରେ ପରିବାର ଲୋକଙ୍କୁ ଭୂତେଇବା ପାଇଁ ଭୀଷଣ ପେଟ କାଟୁଛି ବୋଲି କହିଲେ। ତା’ପରେ ସେ ଏକ ବିକଳାଙ୍ଗ ପ୍ଲାଷ୍ଟିକ୍ କଣ୍ଢେଇକୁ ରଙ୍ଗବୋଳି ତାଙ୍କର ଏକ ଅପୂର୍ଣ୍ଣାଙ୍ଗ ଶିଶୁ ଜନ୍ମ ହୋଇଛି ବୋଲି ଦାବି କଲେ। ପରିବାର ସଦସ୍ୟମାନେ ବି ଏହା ଶିଶୁ କି କଣ୍ଢେଇ ଜାଣିପାରିଲେ ନାହିଁ। ସେମାନେ କଣ୍ଢେଇ ଦେହରେ ଲୁଗା ଗୁଡ଼େଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନେଲେ। ସେଠାରେ ଡାକ୍ତର ପରୀକ୍ଷା କରି କହିଲେ ଏହା ଏକ ବାସ୍ତବ ମଣିଷ ଶିଶୁ ନୁହେଁ, ଏକ ପ୍ଲାଷ୍ଟିକ୍ କଣ୍ଢେଇ।

ଡାକ୍ତର ତାଙ୍କର ପୂର୍ବର ଚେକ୍ଅପ୍ ସମ୍ବନ୍ଧିତ କାଗଜପତ୍ର ଓ ଏକ୍ସ-ରେ ରିପୋର୍ଟ ପରୀକ୍ଷା କରି ଦେଖିଲେ ଏବଂ ସବୁଗୁଡ଼ାକ ନକଲି ଥିବା କହିଲେ। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ହର୍ଷିତଙ୍କ କହିବା ଅନୁସାରେ ମହିଳା ଜଣକ ନିୟମିତ ଭାବେ ଡାକ୍ତରଖାନା ଆସନ୍ତି। କିନ୍ତୁ ଗର୍ଭ ସମ୍ବନ୍ଧୀୟ ଚେକ୍ଅପ୍ ପାଇଁ ନୁହେଁ ବରଂ ତାଙ୍କ ପେଟ ସଂକ୍ରମଣର ଚିକିତ୍ସା କରାଇବାକୁ। ବନ୍ଧ୍ୟା ଅପବାଦରୁ ମୁକ୍ତି ପାଇଁ ସେ ଏପରି ନାଟକ ରଚନା କରିଥିବା ଡାକ୍ତର କହିଛନ୍ତି।