କନକ ବ୍ୟୁରୋ: ଗାଡି ଚେକିଂବେଳେ ରାଜମହଲ ଛକରେ ଉତେଜନା । ରଙ୍ଗରୁଟ ଡ୍ରାଇଭିଂ ଚେକିଂ ବେଳେ ଉତେଜନା । ଜଣେ ମହିଳା ଚାଳକ ରଙ୍ଗରୁଟରେ ଆସିବାବେଳେ ତାଙ୍କୁ ଧରିଥିଲା ଟ୍ରାଫିକ ପୋଲିସ୍ । ମହିଳା ଜଣଙ୍କ ଏହାର ପ୍ରତିବାଦ କରିଥିଲେ । କହିଥିଲେ, ରାସ୍ତାରେ ନୋ ଡ୍ରାଇଭ୍ ସାଇନ ବୋର୍ଡ ନମାରି ଫାଇନ୍ କାଟିବା ଠିକ୍ ନୁହେଁ । ଏହାକୁ ନେଇ ବେଶ୍ କିଛି ସମୟ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ପାଟିତୁଣ୍ଡ ପରେ ବିନା ଚାଲାଣରେ ଗାଡି ଓ ଚାଳକଙ୍କୁୁ ପୋଲିସ ଛାଡି ଦେଇଥିବା ଜଣାପଡିଛି । ଏହି ଘଟଣାପରେ ରାଜମହଲ ଛକରୁ ପୋଲିସ ଚେକିଂ ବନ୍ଦ କରିଥିବା ସୂଚନା ମିଳିଛି ।
ସେପଟେ କଂଟ ସରିଲା ପରେ, ଆଜି ଠାରୁ ପୁଣି ଥରେ ଆରମ୍ଭ ହୋଇଯାଇଛି ଜୋରଦାର ଧରପଗଡ । ନୂଆ ମୋଟରଯାନ ଆଇନ୍କୁ ନେଇ ସରକାର ଦେଇଥିବା ୬ ମାସର କଂଟ ପୂରିବା ପରେ ପୂର୍ବ ନିଷ୍ପତି ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କ ବିରୋଧରେ ଆଜିଠାରୁ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଟ୍ରାଫିକ୍ ପୋଲିସ୍ । ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଆରମ୍ଭ ହୋଇଯାଇଛି ଚେକିଂ । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର ସମେତ ଅନ୍ୟ ଜିଲ୍ଲାମାନଙ୍କର ମୁଖ୍ୟ ଛକମାନଙ୍କରେ ଜୋରଦାର ଚାଲିଛି ଚେକିଂ । ବିିଶେଷ କରି ଭୁବନେଶ୍ୱରର ମୁଖ୍ୟଛକମାନଙ୍କରେ ଚାଲିଛି କଡା ଚେକିଂ । ହେଲମେଟ ପିନ୍ଧିନଥିବା କିମ୍ବା ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ କେବଳ ଇନଫୋସିଟି ଅଂଚଳରେ ୧ଲକ୍ଷ ୧୭ ହଜାର ଟଙ୍କାର ଫାଇନ ଆଦାୟ ହୋଇଛି । ବାକି ସବୁ ଅଂଚଳରେ ମଧ୍ୟ ଚେକିଂ ଚାଲିଛି । ତେବେ ଆଜିଠାରୁ ନିୟମକୁ କଡାକଡି ପାଳନ କରାଯାଉଥିବାରୁ କେତେକ ଲୋକ ସଚେତନ ହୋଇଥିବା ଦେଖିବାକୁ ମିଳୁଛି । ତେବେ ଆଉ କିଛି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ମଧ୍ୟ ନଜରକୁ ଆସିଛି । ଯଦି ବାଲେଶ୍ୱର କଥା ଆମେ ଦେଖିବା ତେବେ ଶବ୍ଦ ପ୍ରଦୂଷଣ କରୁଥିବା ଗାଡି, ସିଟ ବେଲଟ ପିନ୍ଧିନଥିବା ବ୍ୟକ୍ତି ଏବଂ ରଙ୍ଗରୁଟରେ ଯାଉଥିବା ଲୋମାନଙ୍କୁ ଅଟକାଯାଇ ଚାଲାଣ କଟାଯାଉଛି । ଯେଉଁମାନେ ସଙ୍ଗେ ସଙ୍ଗେ ଚାଲାଣ ଟଙ୍କା ଦେଇପାରୁନାହାନ୍ତି, ସେମାନଙ୍କୁ ଆରଟିଓ ଅଫିସରେ ଯାଇ ଟଙ୍କା ଟିପୋଜିଟ କରିବା ପାଇଁ କୁହାଯାଇଛି । ପ୍ରାୟ ସାଢେ ୩ଘଂଟାର ଚେକିଂରେ ବାଲେଶ୍ୱରରେ ମୋଟା ଅଙ୍କର ଫାଇନ ଆଦାୟ ହୋଇଥିବା ଜଣାପଡିଛି ।