ଦିନେ ଫୁଟବଲ ଖେଳି ରାଜ୍ୟ ପାଇଁ ଆଣିଥିଲେ ଗୌରବ । ଆଜି ପେଟ ପାଇଁ ପର ଘରେ ଲାଗୁଛନ୍ତି ମୂଲ ।

106

କନକ ବ୍ୟୁରୋ: ମୂଲ ଲାଗୁଛନ୍ତି ମହିଳା ଫୁଟବଲର । ବଞ୍ଚିବା ପାଇଁ ସୁଜାତାଙ୍କ ସଙ୍ଘର୍ଷ । ଦିନେ ପଡିଆରେ ଫୁଟବଲ ଖେଳି ସାରା ରାଜ୍ୟ ସହ ନିଜ ମାଟି ପାଇଁ ଗର୍ବ ଆଉ ଗୌରବ ଆଣିଥିଲେ ସୁଜାତା ହେଲେ ଏବେ ପେଟ ପାଇଁ ସଙ୍ଘର୍ଷ କରୁଛନ୍ତି । ନିଜ ରୋଗୀଣା ପୁଅର ଚିକିତ୍ସା କରିବାକୁ ପର ଘରେ ମୂଲ ଲାଗୁଛନ୍ତି ଜାତୀୟ ସ୍ତରର ମହିଳା ଫୁଟବଲ ଖେଳାଳୀ ସୁଜାତା ମଲ୍ଲିକ । ହାତରେ ସଫଳତାର ମେଡାଲ ଧରିଛନ୍ତି ସତ ହେଲେ ବଞ୍ଚିବା ପାଇଁ ହାଡଭଙ୍ଗା ପରିଶ୍ରମ କରୁଛନ୍ତି । କାରଣ ପର ଘରେ ନଖଟିଲେ ପେଟ ପୂରେନି, ପୁଅର ଔଷଧ ଆସେନି…

କେନ୍ଦ୍ରାପଡା ଆଳି ଦେମାଳ ଗାଁର ସୁଜାତା ମଲ୍ଲିକ ପିଲାଦିନୁ ଖେଳପ୍ରତି ଭାରି ଆଗ୍ରହୀ । ୨୦୦୫ ମସିହାରେ ସେ ଖେଳ ଆରମ୍ଭ କରିଥିବା ବେଳେ ୨୦୦୭ରେ ରାଜ୍ୟ ପାଇଁ ସବ ଜୁନିୟର ମହିଳା ଫୁଟବଲ ଦଳରେ ସାମିଲ ହୋଇଥିଲେ । ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସମୟରେ ଫୁଟବଲ ଖେଳି ରାଜ୍ୟ ପାଇଁ ଗୌରବ ଗୋଟାଇଛନ୍ତି । ଅନେକ ପଦକ, ଅନେକ ପ୍ରମାଣପତ୍ର ବି ପାଇଛନ୍ତି । ହେଲେ ସେଦିନର ସେ ସଫଳତା ଆଜି ତାଙ୍କର କୌଣସି କାମରେ ଆସୁନି । ସଫଳତା ଏବେ ସଙ୍ଘର୍ଷରେ ବଦଳିଯାଇଛି ।

ଭଙ୍ଗା ଘରେ ଲୁଗା ଟାଣି ଜୀବନ ବିତାଉଛନ୍ତି ସୁଜାତା, ତାଙ୍କ ସ୍ୱାମୀ ଓ ତାଙ୍କ ପୁଅ । ଅର୍ଥ ଅଭାବରୁ ଘର କାମ ହୋଇପାରୁନଥିବା ଏମିତି ଦିନରାତିରେ ସୂର୍ଯ୍ୟଚନ୍ଦ୍ର ଦେଖିବାକୁ ପଡୁଛି । ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ବଞ୍ଚୁଥିବା ସୁଜାତାଙ୍କ ପାଇଁ ବଡ ଚିନ୍ତା ତାଙ୍କ ପୁଅର ଚିକିତ୍ସା । ୩ ବର୍ଷର ପୁଅର ରୋଗ ଭଲ କରିବାକୁ ମାସକୁ ୧୨ ହଜାର ଟଙ୍କା ଦରକାର । ହେଲେ ଏତେ ଟଙ୍କା ଆସିବ କେଉଁଠୁ, ତେଣୁ ସ୍ୱାମୀଙ୍କ ସଙ୍ଗେ ପର ଘରକୁ ମୂଲ ଲାଗିବାକୁ ଯାଉଛନ୍ତି ସୁଜାତା ।

ତେବେ କ୍ରୀଡା ଏବଂ କ୍ରୀଡାବିତଙ୍କ ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । କେମିତି ଖେଳାଳୀ ଆଗକୁ ଯିବ ସେନେଇ ସବୁ ପ୍ରକାରର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ସରକାର । ହେଲେ ଦିନେ ଯିଏ ରାଜ୍ୟକୁ ସୁନାମ ଦେଇଥିଲା ତାକୁ କେମିତି ଭୁଲିଗଲେ ସରକାର ? କେମିତି ଅବହେଳା କରିପାରିଲା ପ୍ରଶାସନ? ପର ଘରେ ମୂଲ ଲାଗୁଥିବା ସୁଜାତା କଣ ସହାୟତା ପାଇବାର ହକଦାର ନୁହଁନ୍ତି? ଏ ଚିତ୍ର ଦେଖି ସୁଜାତାଙ୍କ ଘରେ ପହଞ୍ଚିବ କି ପ୍ରଶାସନ ? ମିଳିବ କି ସରକାରୀ ସହାୟତା?