ଅଧ ବାଟରେ ଡ୍ରାଇଭରଙ୍କୁ ମାରିଲା ବାତ, ୧୦ କିଲୋମିଟର ବସ୍ ଚଳାଇ ଡ୍ରାଇଭରଙ୍କୁ ହସ୍ପିଟାଲ ନେଲେ ମହିଳା ଯାତ୍ରୀ ।

906

କନକ ବ୍ୟୁରୋ : କିଛି ମହିଳା ଓ ପିଲାମାନଙ୍କୁ ନେଇ ଯାଉଥିବା ଗୋଟାଏ ମିନି ବସର ଡ୍ରାଇଭରକୁ ବାତ ମାରିବାରୁ ଉକ୍ତ ସେମାନଙ୍କ ମଧ୍ୟରେ ଥିବା ଜଣେ ୪୨ ବର୍ଷୀୟ ମହିଳା ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିଟିକୁ ୧୦ କିଲୋମିଟର୍‌ ପର୍ଯ୍ୟନ୍ତ ଚଳାଇ ନେଇଥିଲେ ବୋଲି ଜଣେ ସରକାରୀ ଅଧିକାରୀ ଶନିବାର ଦିନ କହିଛନ୍ତି। ଜାନୁଆରୀ ୭ ତାରିଖ ଦିନ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଘଟିଥିବା ଉକ୍ତ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ପୁଣେ ନିକଟ ଶିରୁର୍‌ସ୍ଥିତ ଗୋଟାଏ କୃଷି-ପର୍ଯ୍ୟଟନ କେନ୍ଦ୍ରରେ ବଣଭୋଜି କରି ଅନ୍ୟ ମହିଳା ଏବଂ ପିଲାମାନଙ୍କ ସହ ଯୋଗୀତା ସତାୱ ନାମ୍ନୀ ଉକ୍ତ ମହିଳାଜଣକ ଫେରୁଥିଲେ। ବାତ ମାରିବାର ଆଭାସ ପାଇ ଡ୍ରାଇଭର୍‌ ନିକାଞ୍ଚନ ରାସ୍ତା ମଝିରେ ବସ୍‌ ଅଟକାଇ ଦେଲେ। ଏ ଘଟଣା ଦେଖି ବସରେ ଥିବା ମହିଳା ଓ ପିଲାମାନେ କାନ୍ଦବୋବାଳି ପକାଇଲେ। କିନ୍ତୁ, ସତାୱ ଆଗେଇ ଯାଇ  ଷ୍ଟିଅରିଙ୍ଗ୍‌ ଧରିଥିଲେ ଓ ବସ୍‌ ଚଳାଇ ଅସୁସ୍ଥ ଡ୍ରାଇଭର୍‌ଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଥିଲେ।

ସତାୱ କହନ୍ତି, ମୁଁ କାର୍‌ ଚଳାଇ ଜାଣିଥିବାରୁ ବସ୍‌ ଚଳାଇ ପାରିବି ବୋଲି ଠିକ୍‌ କଲି। ପ୍ରଥମ ତଥା ଗୁରୁତ୍ବପୂର୍ଣ୍ଣ କର୍ତ୍ତବ୍ୟ ଥିଲା ବସ୍‌ ଡ୍ରାଇଭର୍‌ଙ୍କୁ ଡାକ୍ତରଖାନା ନେବା। ତେଣୁ, ମୁଁ ପାଖ ଡାକ୍ତରଖାନାକୁ ବସ୍‌ ଚଳାଇ ନେଇ ସେଠାରେ ତାଙ୍କୁ ଭର୍ତ୍ତି କରାଇଲି।

ଗଣମାଧ୍ୟମ ସୂଚନା ଅନୁସାରେ, ବସଟିକୁ କିଛି ବାଟ ଚଳାଇ ନେବା ପରେ ଡ୍ରାଇଭରଙ୍କୁ ଦୁଇ ଥର ବାତ ମାରିଲା। ତେଣୁ, ସେ ତୁରନ୍ତ ବସ୍‌ ଅଟକାଇ ଦେଲେ। ଏକଥା ଜାଣି ସତାୱ ୧୦ କିଲୋମିଟର୍‌ ଦୂରରେ ଥିବା ଗାନେଗାଓଁ ଖଲସାକୁ ଚଳାଇ ନେଇଥିଲେ। ସେଠାରେ ଅସୁସ୍ଥ ଡ୍ରାଇଭରଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଖବର ଦିଆଯିବାରୁ ଆଉ ଜଣେ ବସ୍‌ ଡ୍ରାଇଭର୍‌ଆସି ସେ ମିନି ବସକୁ ଶିକରପୁର ହସ୍ପିଟାଲକୁ ଚଳାଇ ନେଇ ଅସୁସ୍ଥ ଡ୍ରାଇଭରଙ୍କୁ ଭର୍ତ୍ତି କରାଇଥିଲେ। ପରେ ସମସ୍ତ ମହିଳା ଓ ପିଲାଙ୍କୁ ନେଇ ସେମାନଙ୍କ ଗନ୍ତବ୍ୟସ୍ଥଳ ୱାଘୋଲିରେ ପହଞ୍ଚାଇ ଦେଇଥିଲେ।