କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଚୂନ ପ୍ଲାଷ୍ଟର ଖସି ଜଣେ ମହିଳା ଭକ୍ତ ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣକ ହେଲେ କଟକ ଜିଲ୍ଲା ବାଙ୍କି ଡମପଡ଼ାର ବେଣୁ ରାଉତଙ୍କ ପତ୍ନୀ ବାସନ୍ତୀ ରାଉତ (୬୫)। ମହାପ୍ରଭୁଙ୍କ ଦର୍ଶନ ବେଳେ ନାଟମଣ୍ଡପରୁ ଏକ ବଡ଼ ପ୍ଲାଷ୍ଟର ଖସିପଡ଼ିବାରୁ ବାସନ୍ତୀଙ୍କ ମୁଣ୍ଡ ଫାଟିଯାଇଥିଲା। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଶ୍ରୀମନ୍ଦିରରେ ବାରମ୍ବାର ପଥର ଖସୁଥିବା ବେଳେ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ଗମ୍ଭୀରତାର ସହ ନେବାକୁ ଭକ୍ତ ମହଲରେ ଦାବି ହୋଇଛି ।

Advertisment

publive-image

ବାସନ୍ତୀଙ୍କ ବୋହୂ ସୀମା ସ୍ୱାଇଁଙ୍କ କହିବା ମୁତାବକ, ଗତକାଲି ଅପରାହ୍ଣ ପ୍ରାୟ ୩ଟା ୪୫ରେ ଗରୁଡ଼ସ୍ତମ୍ଭ ନିକଟରୁ ଶାଶୂ ବାସନ୍ତୀ, ସେ ଓ ପରିବାରର ଅନ୍ୟ ସଦସ୍ୟମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ନିକଟରେ ପୂଜାପଣ୍ଡା ସେବକମାନେ ବି ପୂଜା କାର୍ଯ୍ୟ କରୁଥିଲେ। ଗରୁଡ଼ ସ୍ତମ୍ଭକୁ ଛୁଇଁ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ହଠାତ୍ ନାଟମଣ୍ଡପ ଛାତରୁ ଏକ ବଡ଼ ଚୂନ ପ୍ଲାଷ୍ଟର ସିଧା ବାସନ୍ତୀଙ୍କ ମୁଣ୍ଡରେ ପଡ଼ିଥିଲା। ଫଳରେ ତାଙ୍କ ମୁଣ୍ଡରୁ ଧାରଧାର ରକ୍ତ ବାହାରିବା ସହ ବାସନ୍ତୀ ସେହିଠାରେ ତଳେ ପଡ଼ିଯାଇଥିଲେ। ଆଖପାଖରେ ଥିବା ଅନ୍ୟ ଭକ୍ତ ଓ ଜେଟିପିମାନେ ସଙ୍ଗେ ସଙ୍ଗେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଡାକ୍ତରଖାନାରେ ବାସନ୍ତୀଙ୍କର ଚିକିତ୍ସା ଚାଲିଥିବାବେଳେ ତାଙ୍କ ଅବସ୍ଥା ବର୍ତମାନ ଭଲ ଥିବା ଡାକ୍ତର କହିଛନ୍ତି।

publive-image

ସୂଚନାଯୋଗ୍ୟ, ଶ୍ରୀମନ୍ଦିରରୁ ପ୍ଲାଷ୍ଟର, ପଥର ଖସି ଭକ୍ତ ଆହତ ହେବା କିଛି ନୂଆ ନୁହେଁ। ଏହା ପୂର୍ବରୁ ଶ୍ରୀମନ୍ଦିରରୁ ବଡ଼ ବଡ଼ ପଥର ଖସିଛି। ୨୦୧୩ ମସିହାରେ ଶ୍ରୀମନ୍ଦିରରୁ ଏକ ପଥର ଖଣ୍ଡ ଖସିଥିଲା। ପୂର୍ବରୁ ମଧ୍ୟ ଏକ ବିରାଟ ପଥର ଖଣ୍ଡ ଶ୍ରୀମନ୍ଦିରରୁ ଖସିଥିଲା। ଏଥି ଯୋଗୁ ଅନେକ ଥର ଭକ୍ତ ଆହତ ବି ହୋଇଛନ୍ତି। ପ୍ରକାଶଥାଉକି, କିଛି ଦିନ ତଳେ ଶ୍ରୀମନ୍ଦିର ବଟବୃକ୍ଷ ନିକଟରେ ଜନୈକ ଭକ୍ତଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା।