ଦାଦାବଟିକୁ ନେଇ ପୁରୀରେ ଗୁଳିମାଡ଼ : ଗୁଳିମାଡ଼ରେ ମହିଳା ଗୁରୁତର, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

134

କନକ ବ୍ୟୁରୋ : ଦାଦା ବଟିକୁ ନେଇ ପୁରୀରେ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତିରେ ନରେନ୍ଦ୍ରକୋଣ ଆଇଟିଆଇ କଲେଜ ନିକଟରେ ଦାଦାବଟିକୁ ନେଇ ଗୁଳିମାଡ଼ ହୋଇଛି । ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୁରୀ ସର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଥିବାରୁ ତାଙ୍କୁ ଏସିବିକୁ ସ୍ଥାନାନ୍ତର କରାଯାଇଛି । ଆହତ ମହିଳା ହେଉଛନ୍ତି ଶକୁନ୍ତଳା ସାହୁ । ନରେନ୍ଦ୍ରକୋଣ ଆଇଟିଆଇ କଲେଜ ନିକଟ ଗଳିରେ ସେ ରହୁଥିଲେ । ଗୁଳିମାଡ଼ ପରେ ଅପରାଧି ବିଜୁ ବେହେରା ଫେରାର ହୋଇଥିବା ସୂଚନା ରହିଛି ।

ସୂଚନାନୁସାରେ, ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କ ଘରକୁ ଗତକାଲି ରାତି ପାଖାପାଖି ୧୨ଟା ସମୟରେ ଦୁଇ ଜଣ ଦୁର୍ବୁତ୍ତ ଆସି କବାଟ ବାଡେଇ ଦାଦାବଟି ମାଗିଥିଲେ । ତେବେ ଜିତେନ୍ଦ୍ର କବାଟ ନ ଖୋଲିବାରୁ ଗ୍ରିଲ ପଟେ ଗୁଳି ଚଳାଇଥିଲେ । ତେବେ ଜିତେନ୍ଦ୍ରଙ୍କ ସ୍ତ୍ରୀ ଶକୁନ୍ତଳା ଜିତେନ୍ଦ୍ରଙ୍କୁ ବଞ୍ଚେଇବାକୁ ଠେଲିଦେବାରୁ ତାଙ୍କ ଅଣ୍ଟାରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ମେଡିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଆଗରୁ ସେହି ଦୁର୍ବୁତ୍ତମାନେ ଆସି ଦାଦାବଟି ମାଗୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।