କନକ ବ୍ୟୁରୋ: ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରେ । କୋଳରେ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ଧରି ଜିଲ୍ଲାପାଳଙ୍କ ଅଫିସରୁ ବାହାରିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ବର୍ଷେ କି ଦୁଇ ବର୍ଷ ନୁହେଁ ଗତ ୫ ବର୍ଷ ଧରି ଏଭଳି ଭାବେ ସ୍ୱାମୀଙ୍କୁ କୋଳରେ ବୋହି ଦୁଆର ଦୁଆର ବୁଲି ଗୁହାରୀ କରୁଛନ୍ତି । ତାଙ୍କ ମନରେ ଏତେ ଯନ୍ତ୍ରଣା ଯେ କିଛି ପଚାରିଲେ ପାଟିରୁ କଥା ବାହାରୁନି ହେଲେ ଆଖିରୁ ଝରିଯାଉଛି ଅମାନିଆ ଲୁହ । ଅଫିସର, ନେତାଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଗୁହାରୀ କରିସାରିଲେଣି । ହେଲେ ତାହାରି କାନରେ ପଡୁନି ତାଙ୍କ ଆକୁଳ ନିବେଦନ ।

Advertisment

ଗୋଟେପଟେ ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କର ସ୍ୱାମୀଙ୍କ ପ୍ରତି ବିଶ୍ୱାସଘାତକତା ଖବର ଜୋରଦାର ଆସୁଥିବାବେଳେ ଆଉ ଗୋଟେପଟେ ଏହି ମହିଳାଙ୍କ ସ୍ୱାମୀଙ୍କ ପ୍ରତି ନିଷ୍ଠା ଓ ସେବା ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ଜଣେ ନିଜ ପଦ ଓ କ୍ଷମତା ପାଇବା ପରେ ସ୍ୱାମୀଙ୍କ ଠାରୁ ଦୂରେଇ ଯାଉଥିବାବେଳେ ଏ ମହିଳା ଜଣକ କିନ୍ତୁ ନିଜର ସବୁ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜ ସ୍ୱାମୀକୁ କୋଳରେ ବୋହି ନ୍ୟାୟ ପାଇଁ ଦ୍ୱାରଦ୍ୱାର ଘୁରି ବୁଲୁଛନ୍ତି । ଏ ମହିଳା ଜଣକ ହେଉଛନ୍ତି ପ୍ରିୟଙ୍କା ଗୌଡ ।

୨୩ ବର୍ଷୀୟା ପ୍ରିୟଙ୍କା ଗୌଡ ସ୍ୱାମୀ ଅଂଶୁଲ ଗୌଡଙ୍କୁ କୋଳରେ ବୋହି ନ୍ୟାୟ ପାଇଁ ନେତା ମନ୍ତ୍ରୀ , ଅଧିକାରୀ ସମସ୍ତଙ୍କ ପାଖରେ ଗୁହାରୀ କରୁଛନ୍ତି । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ଲବକୁଶ ନଗର ପରସନିଆ ଗାଁର ପ୍ରିୟଙ୍କା ଆଦିବସୀ ୨୧୦୧୭ରେ ଅଂଶୁଲ ଗୌଡଙ୍କୁ ବିବାହ କରିଥିଲେ । ସ୍ୱାମୀ , ଶାଶୁ, ଶ୍ୱଶୁରଙ୍କୁ ନେଇ ଖୁସିରେ ଚାଲିଥିଲା ତାଙ୍କ ସଂସାର । ହେଲେ ୨୦୧୯ ଫେବୃଆରୀ ୨୨ ତାରିଖରେ ଏକ ସଡକ ଦୁର୍ଘଟଣାର ଶିକାର ହେଲେ ଅଂଶୁଲ । ସେବେଠାରୁ ସର୍ଭିକାଲ ସ୍ପାଇନ୍ ରୋଗରେ ଆକ୍ରାନ୍ତ ହୋଇ ଅଂଶୁଲଙ୍କର ଅଣ୍ଟାଠାରୁ ଅଚଳ ହୋଇପଡିଲା । ଏଭଳି ଦୁଃସମୟରେ ହାତ ଛାଡିଲେନି ସ୍ତ୍ରୀ ପ୍ରିିୟଙ୍କା । ସାହାଯ୍ୟ ପାଇଁ ଦିବ୍ୟାଙ୍ଗ ସ୍ୱାମୀଙ୍କୁ କୋଳରେ ବୋହି ପ୍ରଶାସନର ଦ୍ୱାରସ୍ଥ ହେଲେ । ଘୋର ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପ୍ରିୟଙ୍କା ଶୁଣିବାକୁ କିନ୍ତୁ କାହାରି ପାଖରେ ସମୟ ନାହିଁ ।

ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣୀ ହେଉଥିବାବେଳେ ସ୍ୱାମୀଙ୍କୁ ନେଇ ସେଠାରେ ପହଞ୍ଚିଥିଲେ ପ୍ରିୟଙ୍କା । କାନ୍ଦି କାନ୍ଦି ନିଜର ଦୁଃଖ ଜଣାଇବା ପରେ ସହାୟତା କରିବାକୁ କହିଥିଲେ ଜିଲ୍ଲାପାଳ । ହେଲେ ତାହା କେବେ ପୂରଣ ହେବ ଠିକଣା ନାହିଁ । କାରଣ ଏହା ପୂର୍ବରୁ ସ୍ୱାମୀଙ୍କୁ ନ୍ୟାୟ ଦେବାକୁ ଯାଇ ବିଧାୟକଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ନିରାଶ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ବାସଭବନ ଆଗରେ ସପ୍ତାହେ ଧରି ଅପେକ୍ଷା କରିବା ପରେ ବି କିଛି ସୁଫଳ ମିଳିଲାନାହିଁ ।

ସ୍ୱାମୀ ଅଂଶୁଲଙ୍କ ଦୁର୍ଘଟଣା ପୂର୍ବରୁ ଆଉ ଏକ ଦୁର୍ଘଟଣାରେ ଚାଲିଯାଇଥିଲେ ଶାଶୁ, ଯିଏ ଜଣେ ଅଧ୍ୟାପିକା ଥିଲେ । ତେଣୁ ଶାଶୁଙ୍କ ଚାକିରିରେ ରିହାବିଲିଟେସନ୍ ସ୍କିମରେ ସ୍ୱାମୀ ଅଂଶୁଲଙ୍କୁ ଚାକିରୀ ଖଣ୍ଡେ ଦେବାକୁ ଗୁହାରୀ କରୁଛନ୍ତି ପ୍ରିୟଙ୍କା । ଦିବ୍ୟାଙ୍କ ସ୍ୱାମୀଙ୍କୁ ଭଲ କରିବାକୁ ଯାଇ ଚିକିତ୍ସାରେ ଗଲାଣି ଲକ୍ଷଲକ୍ଷ ଟଙ୍କା । ବନ୍ଧୁବାନ୍ଧବଙ୍କଠାରୁ ପାଖାପାଖି ୪ଲକ୍ଷ ଟଙ୍କା ହାତ ଉଧାରୀ ହୋଇସାରିଲାଣି । ଏଭଳି ସ୍ଥଳେ ସରକାରଙ୍କ ସାହାଯ୍ୟ ଏବଂ ଶାଶୁଙ୍କ ପଦ ବଦଳରେ ଖଣ୍ଡେ ଚାକିରି ମିଳିଲେ ଅନ୍ତତଃ ଜୀବନଟା ବଞ୍ଚିଯାଆନ୍ତା ବୋଲି ଛଳଛଳ ଆଖିରେ କୁହନ୍ତି ପ୍ରିୟଙ୍କା ।