ରାଜଧାନୀରେ ମହିଳାଙ୍କୁ ନିର୍ମମ ହତ୍ୟା । ମହିଳାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା ହତ୍ୟାକାରୀ ।

219

କନକ ବ୍ୟୁରୋ : ଭୁବନେଶ୍ୱର ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯିବାକୁ ନେଇ ସାରା ରାଜ୍ୟରେ ଚହଳ ପଡିଛି । ମହିଳାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ଏପରି ହତ୍ୟାକାଣ୍ଡ ଘଟାଇଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଯୁବକ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତେବେ ଜଗନ୍ନାଥ କାହିଁକି ଏତେ ବଡ କାଣ୍ଡ ଘଟାଇଲା ତାହା ସ୍ପଷ୍ଟ ହୋଇନାହିଁ ।

ସବୁ କିଛି ସ୍ୱାଭାବିକ୍ ଥିଲା । ଅଚାନକ୍ ଲୋକଙ୍କ ଗହଳି ବଢ଼ିବାରେ ଲାଗିଲା । ଚାହୁଁଚାହୁଁ ଲୋକ ରୁଣ୍ଡ ହୋଇଗଲେ । ବୁଝୁ ବୁଝୁ ଜଣାପଡ଼ିଲା ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବରେ ହତ୍ୟା ହୋଇଛି । ଆଉ ମୃତଦେହ ପାଖରୁ ଉଦ୍ଧାର ହୋଇଥିଲେ ଯୁବକ । ଯିଏ ଥିଲେ ପୁରା କାଣ୍ଡର ସନ୍ଦିଗ୍ଧ ବ୍ୟକ୍ତି ।

ପ୍ରିୟଦର୍ଶିନୀ ସାହୁ । ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ରାକେଶ ସାହୁଙ୍କ ପତ୍ନୀ । ସ୍ୱାମୀଙ୍କ ଅନୁପସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଛି । ଆଉ ମୃତଦେହ ପାଖରେ ଯେଉଁ ଯୁବକ ଜଣକ ଉଦ୍ଧାର ହୋଇଛନ୍ତି, ତାଙ୍କ ନାଁ ହେଉଛି ଜଗନ୍ନାଥ ପ୍ରଧାନ । ବଡ଼ କଥା ହେଉଛି, ଯୁବକ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି ।

କିନ୍ତୁ ଘଟଣାସ୍ଥଳରୁ ଆସିଥିବା ଏହି ଚିତ୍ର, ସନ୍ଦେହକୁ ଆହୁରୀ ବଢ଼ାଇ ଦେଇଛି । ମୃତଦେହ ପଡ଼ିଛି ପାଖରେ ସିନ୍ଦରୁ ଫରୁଆ ପଡ଼ିଛି । ଏକ ସୁଟକେସ୍ ମଧ୍ୟ ପ୍ରସ୍ତୁତ ରହିଛି । ଆଉ ଏହି ଭିତରେ ମାତ୍ର ୪ବର୍ଷର କୁନି ପିଲାର ଖେଳଣାଗୁଡ଼ିକ ବିଛାଡ଼ି ହୋଇପଡ଼ିଛି । ପ୍ରିୟଦର୍ଶିନୀଙ୍କ ହତ୍ୟା ପଛରେ କ’ଣ ଥାଇପାରେ କାରଣ? ସନ୍ଦିଗ୍ଧ ଯୁବକ ଘଟଣାସ୍ଥଳରେ କରୁଥିଲେ କ’ଣ? ସନ୍ଦିଗ୍ଧ ଯୁବକ ବିଷ ପିଇଲେ କାହିଁକି? ଏହି ସବୁ ଦିଗକୁ ନେଇ ଛାନଭିନ୍ ଆରମ୍ଭ କରିଛି ପୁଲିସ୍ ।

୨୦୧୪ ମସିହାରେ ପ୍ରିୟଦର୍ଶିନୀଙ୍କୁ ବାହା ହୋଇଥିଲେ ରାକେଶ । ହସଖୁସିରେ ଚାଲିଥିଲା ସଂସାର । ପ୍ରିୟଦର୍ଶିନୀଙ୍କ ୪ ବର୍ଷର କୁନି ପିଲାଟିଏ ମଧ୍ୟ ଅଛି । ଯାହାଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବଡ଼ କଥା ହେଉଛି, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଅତି ଭଲ ଥିବାବେଳେ ନିକଟରେ ଉଭୟେ ଗାଁରୁ ବି ଫେରଥିଲେ । ପୁଲିସ୍ ମୃତଦେହକୁ ଜବତ କରିବା ସହ ଏକ ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ପାଇଁ ନେଇଛି । କିନ୍ତୁ ଏହି ଘଟଣା ଭୀମଟାଙ୍ଗୀ ସହ ସମଗ୍ର ଭୁବନେଶ୍ୱରରେ ଚହଳ ପକାଇ ଦେଇଛି ।