କନକ ବ୍ୟୁରୋ : ଔଷଧ ଆଣିଥିଲେ ମା’ ବଞ୍ଚି ଯାଇଥାନ୍ତେ । କିନ୍ତୁ ବାଟରେ ଜଗିଥିଲା ମୃତ୍ୟୁ । ଔଷଧ ତ ମିଳିଲାନି କିନ୍ତୁ ଜୀବନ ଚାଲିଗଲା । କିଛି ଏଭଳି ହୃଦୟ ବିଦାରକ ଘଟଣା ଏବେ ୟୁକ୍ରେନରୁ ସାମ୍ନାକୁ ଆସିଛି । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ଦିନରେ ପହଞ୍ଚିଥିବା ବେଳେ ଏବେ ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି । ଋଷ ସେନା ପକ୍ଷରୁ ୟୁକ୍ରେନର ବିଭିନ୍ନ ସହରରେ ମିସାଇଲ ଦ୍ୱାରା ଆକ୍ରମଣ କରାଯାଉଥିବା ବେଳେ ଏବେ ଜରୁରୀ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିବା କଷ୍ଟକର ହୋଇପଡିଛି । ୟୁକ୍ରେନର ରାଜଧାନୀ କିବ ଅକ୍ତିଆର କରିବାକୁ ଋଷ ସେନା ଜୋରଦାର ଉଦ୍ୟମ କରୁଥିବା ବେଳେ ୟୁକ୍ରେନ ସେନା ମଧ୍ୟ ଏହାର ମୁହଁତୋଡ ଜବାବ ଦେଉଛି । ଆଉ ଏସବୁ ଭିତରେ ଜଣେ ମହିଳା ନିଜ ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ଋଷ ସେନା ଆକ୍ରମଣର ଶିକାର ହୋଇଛନ୍ତି । ଋଷ ଟ୍ୟାଙ୍କର ଆକ୍ରମଣରେ କେବଳ ମହିଳା ମୃତ୍ୟୁବରଣ କରିନାହାନ୍ତି ବରଂ ତାଙ୍କ ମା’ଙ୍କର ମଧ୍ୟ ଜୀବନ ଚାଲି ଯାଇଛି ।
ମିଡିଆ ରିପୋର୍ଟ ମୁତାବକ, ୟୁକ୍ରେନର ଜଣେ ମହିଳା ନିଜର ଅସୁସ୍ଥ ମା’ଙ୍କ ପାଇଁ ଔଷଧ ଆଣିବାକୁ ଘରୁ ପାଦ କାଢିଥିଲେ । ଜୀବନ ପ୍ରତି ବିପଦ ଥିବା ଜାଣିବା ପରେ ମଧ୍ୟ ଔଷଧ ଆଣିବାକୁ ବାହାରିଥିଲେ ବେଲେରିଆ । କାରଣ ଔଷଧ ନ ଆଣିଥିଲେ ମଧ୍ୟ ତାଙ୍କ ମା’ଙ୍କର ଜୀବନ ଚାଲି ଯାଇଥାନ୍ତା । କିନ୍ତୁ ଯୁଦ୍ଧ ସମୟରେ ଏଭଳି ଦୁଃସାହସ ବେଲେରିଆଙ୍କୁ ଭାରି ପଢିଥିଲା । କାରଣ ଘମାଘୋଟ ଯୁଦ୍ଧ ଭିତରେ ଯେତେବେଳେ ବେଲେରିଆ ନିଜ ମା’ଙ୍କୁ ଧରି ଔଷଧ ଆଣିବାକୁ ବାହାରିଥିଲେ ସେତେବେଳେ ଋଷର ଏକ ଟ୍ୟାଙ୍କର ରାଡାରରେ ଆସି ଯାଇଥିଲେ । ଆଉ କିଛି ବୁଝିବା ପୂର୍ବରୁ ଟ୍ୟାଙ୍କରୁ ବାହାରିଥିବା ତୋପ ବେଲେରିଆ, ତାଙ୍କ ମା’ ଓ ଡ୍ରାଇଭରଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଥିଲା ।
ଏବେ ୟୁକ୍ରେନର ଅଧିକାଂଶ ସହର ଋଷର ଆକ୍ରମଣରେ ଧ୍ୱସ୍ତବିଧ୍ୱସ୍ତ । ବଡ ବଡ ବିଲ୍ଡିଂ ଭାଙ୍ଗିରୁଜି ଯାଇଥିବା ବେଳେ ଏବେ ସ୍କୁଲ ଓ ହସ୍ପିଟାଲ ମଧ୍ୟ ଋଷ ସେନାର ଟାର୍ଗେଟରେ ରହିଛି । ଅନ୍ୟପଟେ ୟୁକ୍ରେନକୁ ସହାୟତା କରୁଥିବା ଦେଶମାନଙ୍କୁ ଶେଷ ଚେତାବନୀ ଦେଇଛି ଋଷ । ଋଷ ତରଫରୁ କୁହାଯାଇଛି କି ୟୁକ୍ରେନକୁ ଆସୁଥିବା ବିଦେଶୀ ଅସ୍ତ୍ରଶସ୍ତ୍ର ଗାଡି ଉପରେ ଋଷ ସେନା ତୀକ୍ଷ୍ନ ନଜର ରହିଛି । ଏନେଇ ଋଷର ବିଦେଶ ମନ୍ତ୍ରୀ ସିୟାବକୋବ କହିଛନ୍ତି କି, ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶମାନଙ୍କୁ ଭୋଗିବାକୁ ପଡିବ । ଏହାସହ ବିଦେଶରୁ ଅସ୍ତ୍ରଶସ୍ତ୍ର ନେଇ ୟୁକ୍ରେନ ଆସୁଥିବା ଗାଡିଗୁଡିକୁ କିଭଳି ନଷ୍ଟ କରାଯିବ ତାହା ଉପରେ ଋଷସେନା ଯୋଜନା ପ୍ରସ୍ତୁତ କରିସାରିଛି ।
ସେପଟେ ଋଷ ବିଦେଶ ମନ୍ତ୍ରୀ କହିଛନ୍ତି କି ଆମେରିକା ଓ ପଶ୍ଚିମଦେଶ ବିରୋଧରେ କେଉଁ କେଉଁ ପ୍ରତିବନ୍ଧକ ଲଗାଯିବ ସେନେଇ ଏକ ସୂଚୀ ପ୍ରସ୍ତୁତ କରାଯାଇଛି । ଏହା କେବଳ ଘୋଷଣା ହେବାକୁ ବାକି ରହିଛି । ଏହାସହ ୱାସିଂଟନ ଯଦି ଚାହିଁବ ତେବେ ଋଷ ଆମେରିକା ସହ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି ।