କନକ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ପୁଣି କଡାକଡି ହୋଇଛି ଟ୍ରାଫିକ୍ ନିୟମ । ବେପରୁଆ ଗାଡି ଚାଳକଙ୍କ ଉପରେ ନଜର ରଖିଛି ଟ୍ରାଫିକ୍ ପୋଲିସ । ଭୁବନେଶ୍ୱରରୁ ଆରମ୍ଭ କରି କଟକ, ବାଲେଶ୍ୱରରୁ ରାୟଗଡା ସବୁଠି କଡାକଡି ଭାବେ ଚାଲିଛି ଟ୍ରାଫିକ୍ ଚେକିଂ । ତେବେ ନୂଆ ମୋଟର ଯାନ ଆଇନକୁ ଆଉ ତିନି ମାସ କୋହଳ କରାଯାଇଥିଲେ ମଧ୍ୟ କୋହଳ ହୋଇନି ଯାଂଚ ପ୍ରକ୍ରିୟା । ତେଣୁ ଚାଳକଙ୍କ ସାମାନ୍ୟ ଭୁଲ୍ ବଡ ପରିମାଣର ଜୋରିମାନାକୁ ଡାକି ଆଣିଛି ।  ତେବେ ଟ୍ରାଫିକ୍ ଚେକିଂକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଅପ୍ରତିକର ଖବର । କେଉଁଠି ମଦ ପିଇ ଗାଡି ଚଳାଇ ଚାଳକ ମୋଟା ଅଙ୍କର ତଣ୍ଡ ଗଣିଲେଣି ତ ପୁଣି କେଉଁଠି ନାବାଳକ ଫୋନରେ ଗପି ଗାଡି ଚଳାଉଥିବା ବେଳେ ଧରା ପଡି ଅଭିଭାବକଙ୍କୁ ଜରିମାନା ଭରିବାକୁ ପଡିଛି । ଆଉ ଏସବୁ ଭିତରେ ବଳି ଯାଇଥିଲା କଟକର ଜଣେ ମହିଳାଙ୍କ ଅଜବ ଯୁକ୍ତି । ମହିଳା ଜଣକ ନିୟମ ତ ଭାଙ୍ଗି ଥିଲେ ସତ, ତା ପରେ ବି ପୁଲିସକୁ ଦେଖାଇଛନ୍ତି ନାଲିଆଖି ।

Advertisment

publive-image

କଟକରେ ଟ୍ରାଫିକ୍ ଚେକିଂ କଡାକଡି ଭାବେ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଏହି ମହିଳାଙ୍କ ଦବଙ୍ଗଗିରି । ହେଲମେଟ୍ ନପିନ୍ଧି ଗାଡି ଚଳାଉଥିବା ବେଳେ ମହିଳା ଜଣଙ୍କୁ ଅଟକାଇ ଦେଇଥିଲା ପୋଲିସ । ହେଲେ ଏତିକିରେ ନାରାଜ ହୋଇ ଅନେକ ଅଜବ ଯୁକ୍ତି ତର୍କ ଆରମ୍ଭ କରିଦେଇଥିଲେ ଏହି ମହିଳା । ତାଙ୍କର ଯୁକ୍ତି ଥିଲା କି, ଆମେ ହେଲମେଟ ପିନ୍ଧିବୁନି ସେଟା ଆମର ରିକ୍ସ, ପୋଲିସର ନୁହେଁ । ଆମେ ମଲେ ଆମ ପରିବାର ଲୋକ କାନ୍ଦିବେ, ପୁଲିସ କଣ କାନ୍ଦିବ କି । ମୁଁ ହେଲମେଟ ପିନ୍ଧିବିନି କି ଫାଇନ ବି ଦେବିନି, ଗାଡି ସେମିତି ପଡିଥାଉ । ତା ପରେ ଯାଇ କଥାବାର୍ତ୍ତା ।

publive-image

ତେବେ ମହିଳାଙ୍କ ଏଭଳି ବିତଣ୍ଡା ଯୁକ୍ତିରେ ସାମ୍ବାଦିକମାନେ ଏହା ଆପଣଙ୍କ ସୁରକ୍ଷା ପାଇଁ କୁହାଯାଉଛି ବୋଲି କହିବାରୁ ସେ ଚିହିଁକି ଉଠିଥିଲେ । ଆଉ ବଡ ବଡ ପାଟିରେ କହିବାକୁ ଲାଗିଥିଲେ କି, ହେଲମେଟ ପିନ୍ଧିଲେ କଣ ଲୋକ ମରୁନାହାନ୍ତି । ବଂଚିକି ଅଛନ୍ତି ନା ମରିଗଲେ ପୁଲିସ ତାଙ୍କ ଘରେ ଟଙ୍କା ପହଂଚାଇ ଦେବ । ମୁଁ କେବେ ହେଲମେଟ ପିନେ୍ଧନି କି ପିନ୍ଧିବିନି । ମୋର ଇଚ୍ଛା ନାହିଁ ହେଲମେଟ ପିନ୍ଧିବାକୁ । ଯାହାର ଇଚ୍ଛା ସେ ପିନ୍ଧନ୍ତୁ । ମୁଁ ଫାଇନ୍ ଦେବିନି । ଗାଡି ନେଇଯାଆ, ଚାବି ବି ନେଇ ଯାଆ, ସବୁ ନେଇ ଯାଆ । ହବ ଯଦି ମୋତେ ବି ନେଇ ଯାଆ ବୋଲି କହିବା ସହ ଏ ନିୟମ ସବୁଦିନ ପାଇଁ ନୁହେଁ ବୋଲି ଅଜବ ଯୁକ୍ତିକରିଥିଲେ ଏହି ମହିଳା ଜଣକ ।

publive-image

ସେହିଭଳି କଟକ ଲିଙ୍କ ରୋଡ଼ରେ ଟ୍ରାଫିକ ଚେକିଂ ବେଳେ ଫସିଲେ ନାବାଳକ । ଫୋନରେ କଥା ହୋଇ ଗାଡ଼ି ଚଲାଇବାରୁ ଲାଗିଲା ମୋଟା ଅଙ୍କର ଜରିମାନା । ନାବାଳକ ପୁଅ ପାଇଁ ବାପା ଗଣିଲେ ୬ ହଜାର ଟଙ୍କାର ତଣ୍ଡ । ଆଜି ଠାରୁ ଲାଗୁ ହୋଇଛି ଟ୍ରାଫିକ ନିୟମ । ଯାହା ପାଇଁ ବେଶ ଧରପଗଡ଼ରେ ଚାଲିଛି ଚେକିଂ । ଏହାରି ଭିତରେ ଟ୍ରାଫିକ ନିୟମ ଉଲଘଂନ କରି ଗାଡ଼ି ଚଲାଉଥିବା ନାବାଳକ ଧରାପଡ଼ିଥିଲେ । ବାପା ଜରିମାନା ଗଣିବା ପରେ ଛାଡ଼ିଥିଲା ଟ୍ରାଫିକ୍ ।