କନକ ବ୍ୟୁରୋ: କଥାରେ ଅଛି ପରିଶ୍ରମ କଲେ ଅପୋଷା ରହେନିି ପେଟ । ଆଉ ପରିଶ୍ରମ କରିବାକୁ ଲାଜ କ’ଣ  । ବାକି ରହିଲା ଲୋକଙ୍କ କଥା । ଲୋକେ ତ କିଛି ବି କହିବେ । ଦୁର୍ଦ୍ଦିନରେ ଆହା ବିଚରା କହୁଥିବା ଲୋକେ ସମୟ ଆସିଲେ ନୀରବି ଯିବେ । ସେହି ଲୋକଙ୍କ ପାଟିରୁ ବାହାରିବ ବାହାବା । ଏଥିରେ ବେଶ ଦି ପଇସା ମଳିବା ସହ ମୋ ପରିବାରର ଆର୍ଥିକ ଅବସ୍ଥା ବି ସୁଧୁରିଛି । ଏଥିରେ ମୋତେ ଆତ୍ମ ତୃପ୍ତି ମିଳୁଛି । କରୋନା ମୋର , ମୋ ସ୍ୱାମୀଙ୍କର ବୃତ୍ତି ସିନା ଛଡେଇ ନେଲା । ହେଲେ ପରୋକ୍ଷରେ ଆଉ ଏକ ଭଲ କାମ ପାଇଁ ମୋତେ ବାଟ ଦେଖାଇଲା । ଖୁସି ମନରେ ଏମିତି କିଛି କହିଛନ୍ତି ଭୁବଶ୍ୱେରରେ ସ୍ୱିଗି ଗାର୍ଲ ସାଜିଥିବା ଗାଢକଣ ବାସିନ୍ଦା ସଂଯୁକ୍ତା ନନ୍ଦ ।
ଆଜିକାର ଅପରାଧ ପ୍ରବଣ ରାଜଧାନୀରେ ପରିସ୍ଥିତିକୁ ଖାତିର ନକରି ପୁରୁଷ ପ୍ରାଧାନ୍ୟ କାମକୁ ଆପଣାଇ ନେଇଛନ୍ତି ସଂଯୁକ୍ତା । ପରିବାର ପୋଷିବାକୁ ସାଜିଛନ୍ତି ସ୍ୱିଗି ଗାର୍ଲ । ଏକ ଡେଣ୍ଟିଷ୍ଟ କ୍ଲିନିକ୍ରେ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ । ସ୍ୱାମୀ ମନୋଜ ମଧ୍ୟ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ କରୋନା ଯୋଗୁଁ ସ୍ୱାମୀ ସ୍ତ୍ରୀ ଦୁହେଁ କାମ ହରାଇଲେ । ଏ ସମୟରେ ଅତି ଖରାପ ଆର୍ଥିକ ସ୍ଥିତି ଦେଇ ଗତି କରିବାକୁ ପଡିଥିଲା । ହେଲେ ଜନୈକ ବ୍ୟକ୍ତି ତାଙ୍କୁ ସ୍ୱିଗି ଡେଲିଭରୀ ସଂସ୍ଥାରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ । ସାଧାରଣତଃ ପୁରୁଷ ମାନେ ଏହି କାମକୁ କରୁଥିବାବେଳେ ସଂଯୁକ୍ତାଙ୍କ ପାଇଁ ଏହା ଏକ ଚ୍ୟାଲେଂଜ ଥିଲା । ତଥାପି ମନକୁ ଦୃଢ କରିନେଲେ ସଂଯୁକ୍ତା । କଷ୍ଟ ହେଲେ ବି ପରିବାର ପାଇଁ ଏହି କାମ ପାଇଁ ହଁ ଭରିଲେ  । ପ୍ରଥମେ ତାଙ୍କୁ ଅନେକ କଷ୍ଟ କରିବାକୁ ପଡିଥିଲା । ସ୍ଥାନୀୟ ଲୋକେ ଟାହିଟାପରା ବି କରିଥିଲେ । ହେଲେ ନିଜ ଆତ୍ମବିଶ୍ୱାସରେ ସ୍ଥିର ସଂଯୁକ୍ତାଙ୍କୁ ଏସବୁ କିଛି ଫରକ ପକାଇନଥିଲା । ସଂଯୁକ୍ତାଙ୍କର ଏପରି କାମକୁ ନେଇ ଏବେ ସମସ୍ତେ ବାହାବା କରୁଛନ୍ତି । ଭଲ ରୋଜଗାର ସହ ଲୋକଙ୍କ ମୁହଁରେ ପ୍ରଶଂସା ସଂଯୁକ୍ତାଙ୍କୁ ଆହୁରି ପ୍ରେରଣା ଦେଉଛି । ନିଜ ପରି ଆଖପାଖର ଝିଅଙ୍କୁ ମଧ୍ୟ ଏପରି ଡେଲିଭରି କାମ ପାଇଁ ବାଟ ବତାଉଛନ୍ତି ସଂଯୁକ୍ତା । ତାଙ୍କର କାମକୁ ତାଙ୍କ ସ୍ୱାମୀ ପୂର୍ଣ୍ଣ ସମର୍ଥନ କରିଛନ୍ତି  ।
ସକାଳ ୭ରୁ ବାହାରି ଅପରାହ୍ନ ୩ ଟା ଯାଏଁ ଖାଦ୍ୟ ଡେଲିଭରି କରନ୍ତି ସଂଯୁକ୍ତା । ହେଲେ ସମୟରେ ପୁରା ପକ୍କା । ଜଣେ ମହିଳା ହୋଇ ବି ଠିକ୍ ସମୟରେ ଡେଲିଭରି ଦେଉଥିବାରୁ ଗ୍ରାହକ ବି ଖୁସି ।
ପୁରୁଷ ପ୍ରାଧାନ୍ୟ ବୃତ୍ତିରେ ସଂଯୁକ୍ତାଙ୍କ ଯୋଗଦାନ ମହିଳା ସଶକ୍ତିକରଣ ଆଉ ଏକ ଦୃଷ୍ଟାନ୍ତ ନିଶ୍ଚୟ ।