ଅନ୍ଧ କରୁଛି ଅନ୍ଧବିଶ୍ୱାସ ! ଶ୍ୱଶୁରକୁ ରୋଗରୁ ବଞ୍ଚାଇବା ପାଇଁ ବୋହୂକୁ ଧାରୁଆ ଛୁରୀରେ ଆକ୍ରମଣ କଲେ ଶାଶୂଘର ଲୋକ , ଶରୀରରେ ଲାଗିଲା ୪୫୦ ଆଘାତ

153

ବର୍ତ୍ତମାନ ସମୟରେ ସମାଜ ଯାଇ କେଉଁଠି ପହଞ୍ଚିଲାଣି । କିନ୍ତୁ ତନ୍ତ୍ରବିଦ୍ୟା ଭଳି ଅନ୍ଧବିଶ୍ୱାସ ଆଜି ବି ଭାରତୀୟ ରୀତିନୀତି ଓ ପରମ୍ପରାକୁ ଜାବୁଡି ଧରିଛି । ଏଭଳି ଅନ୍ଧବିଶ୍ୱାସ ରାସ୍ତାରେ ଚାଲି ମଣିଷ କେତେବେଳେ ପଶୁ ପାଲଟିଯାଏ ସେ ନିଜେ ମଧ୍ୟ ଜାଣିନଥାଏ । ଉତ୍ତରପ୍ରଦେଶର ବରେଲୀରେ ଅନ୍ଧବିଶ୍ୱାସର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଏକ ମାସ ଧରି ରୋଗରେ ପୀଡିତ ଶର୍ଯ୍ୟାଶାୟୀ ବାପାଙ୍କୁ ଠିକ୍ କରିବା ପାଇଁ ତାନ୍ତ୍ରିକ ନଣନ୍ଦ, ନଣନ୍ଦେଇ ସବୁ ସୀମା ଟପିଯାଇଛନ୍ତି । ବାପାଙ୍କୁ ବଞ୍ଚାଇବାକୁ ଯାଇ ଘରର ବୋହୁକୁ ବଳି ଦେବାକୁ ମଧ୍ୟ ପଛାଇନାହାନ୍ତି ସେମାନେ । କେବଳ ସେତିକି ନୁହେଁ ଉକ୍ତ ମହିଳାଙ୍କୁ ଧାରୁଆ ଛୁରୀରେ ଲହୁଲୁହାଣ କରିପକାଇଛନ୍ତି । ତାଙ୍କ ଶରୀରରେ ମୋଟ ୪୫୦ ଟି ଆଘାତ ଲାଗିଥିବା ଜଣାପଡିଛି । ପୋଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।

ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବୋହୁ ରେଣୁ । ଅନ୍ଧବିଶ୍ୱାସ ଆଗରେ ବଳି ପଡିଯାଇଛନ୍ତି ସେ । ପୀଡିତାଙ୍କ ଭାଈ କହିବାନୁସାରେ, ରୋଗାଗ୍ରସ୍ତ ବାପାଙ୍କୁ ଠିକ୍ କରିବା ପାଇଁ ରେଣୁଙ୍କ ନଣନ୍ଦ ଓ ନଣନ୍ଦେଇ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଅନ୍ଧବିଶ୍ୱାସର ରାସ୍ତାରେ ଚାଲି ସେମାନେ ରେଣୁଙ୍କୁ ଛୁରୀରେ ଅନେକ ଥର ଆକ୍ରମଣ କରିଛନ୍ତି । ନିଜ ଜୀବନକୁ ବଞ୍ଚାଇବା ପାଇଁ ରେଣୁ ବରେଲୀ ନିକଟସ୍ଥ କଲେଜରେ ଆଶ୍ରୟ ନେଇଥିଲେ । ସେଠାରୁ ତାଙ୍କୁ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ସେମାନଙ୍କ ବିଶ୍ୱାସ ଏଭଳି କରିବା ଦ୍ୱାରା ରେଣୁଙ୍କ ଶ୍ୱଶୁରଙ୍କ ଆୟୁଷ ବୃଦ୍ଧି ହେବା ସହିତ ସେ ଖୁବଶୀଘ୍ର ଠିକ୍ ହୋଇପାରିବେ । ଏହି ଘଟଣାରେ ରେଣୁଙ୍କ ଦେଢସୁର ମୁଲୀ , ରାଜୁ , ନଣନ୍ଦ ମୋନୀ ଓ ମୋନୀଙ୍କ ସ୍ୱାମୀ ସାମିଲ ଥିବା ଜଣାପଡିଛି । ପୋଲିସ ରେଣୁଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ନଣନ୍ଦଙ୍କୁ ଗିରଫ କରିଛି ।