କନକ ବ୍ୟୁରୋ : ନ୍ୟାୟ ପାଇଁ ଦୁଇ ଛୁଆଙ୍କୁ ଧରି ଶାଶୂ ଘର ଆଗରେ ଧାରଣାରେ ବସିଥିବା ମହିଳାଙ୍କୁ ଭେଟିଲେ ଅନ୍ତର୍ଜାତୀୟ ମାନବ ଅଧିକାରୀ ସଦସ୍ୟ ପାର୍ବତୀ ବେହେରା । ଆସିକା ଥାନାରୁ ଠାରୁ ମାତ୍ର କିଛି ଦୂରରେ ଆସିକା ବ୍ଲକ କଲୋନୀରେ ଜଣେ ବିବାହିତା ମହିଳା ନିଜ ୨ ପୁଅଙ୍କୁ ଧରି ଧାରଣାରେ ବସିଛନ୍ତି । ଅଭିଯୋଗ ଅନୁସାରେ ସାନଖେମୁଣ୍ଡି ବ୍ଲକର ଡେଙ୍ଗାଡି ଗାଁର ପଦ୍ମିନୀ ସ୍ୱାଇଁ ଆସିକା ବ୍ଲକ କଲୋନୀର ମହେଶ ସ୍ୱାଇଁଙ୍କୁ ୨୦୧୫ ମସିହାରେ ବିବାହ କରିଥିଲେ ।

Advertisment

ଶାଶୂଘର ଲୋକଙ୍କ ଦାବି ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା । ବିବାହ ପରେ ଅଧିକ ଯୌତୁକ ଦାବିରେ ଶାଶୂଘର ଲୋକ ପଦ୍ମିନୀଙ୍କୁ ନିର୍ଯାତନା ଦେଇଥିଲେ । ଗତ ୬ ବର୍ଷ ତଳେ ପଦ୍ମିନୀଙ୍କ ୨ଟି ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଶାଶୂ ଘର ଲୋକ ମାରଧର କରିବାରୁ ଗାଁର କୂଳଭାଇ ତାଙ୍କୁ ଉଦ୍ଧାର କରି ବାପ ଘରକୁ ପଠାଇ ଦେଇଥିଲେ । ଆଉ କୂଳ ସମାଜରେ ଏହାର ବିଚାର ମଧ୍ୟ ଚାଲିଥିଲା । ହେଲେ ଏହାରି ଭିତରେ ପଦ୍ମିନୀ ଖବର ପାଇଲେ ଗତ ଜୁନ ମାସରେ ତାଙ୍କ ସ୍ୱାମୀ ଜଣେ ୧୭ ବର୍ଷର ଝିଅକୁ ବିବାହ କରିଛନ୍ତି । ଏହା ଜାଣିବା ପରେ ଆସିକା ଥାନାରେ ସ୍ୱାମୀ ମହେଶ ସ୍ୱାଇଁଙ୍କ ନାଁରେ ଏତଲା ଦେଇଥିଲେ ।

ପୋଲିସ ମାମଲା ରୁଜୁ କରି ନାବାଳିକାକୁ ବିବାହ କରିଥିବା ଅଭିଯୋଗରେ ମହେଶ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ପଦ୍ମିନୀ କେଉଁଠି ରହିବେ, କଣ କରିବେ, ପିଲା ଦୁଇଟିର ଭରଣପୋଷଣ କେମିତି କରିବେ । ତେଣୁ ଶାଶୂ ଘରେ ରହିବାକୁ ଶାଶୂ ଘର ଆଗରେ ଧାରଣାରେ ବସିଛନ୍ତି । ଅନ୍ୟପଟେ ପଦ୍ମିନୀଙ୍କ ବାପ ଘର ଗାଁର କିଛି ଲୋକ ଓ ଶାଶୂ ଘର ଗାଁର କୁଳ ସମାଜର କିଛି ଲୋକ ଏସପିଙ୍କୁ ଭେଟିଥିବା ସୂଚନା ମିଳିଛି ।