କନକ ବ୍ୟୁରୋ : ଟିଟିଲାଗଡ଼ ଜେଲ୍‌ ଭିତରେ ଲଭ୍‌, ସେକ୍ସ ଓ ଧୋକାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଟିଟିଲାଗଡ ଥାନାରେ ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବରୁ ଜେଲରେ ଥିବା ଜଣେ ଥିବା ମହିଳା । ଟିଟିଲାଗଡ ସବ ଜେଲରେ ଜଣେ ବିଚାରାଧୀନ କଏଦୀ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖି ଏବେ ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ।

Advertisment

ଅଭିଯୋଗ ଅନୁସାରେ, ପୀଡିତା ଜଣକ ଘରୋଇ କଳହ ମାମଲାରେ ଅକ୍ଟୋବର ୨୯ରେ ଜେଲ ଯାଇଥିଲେ । ସେଠାରେ ଜିଏସଟି ଠକେଇ ମାମଲାରେ ବିଚାରଧିନ ଥିବା କଏଦୀ ତୀର୍ଥଙ୍କର ପଟେଲଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ତୀର୍ଥଙ୍କର ମହିଳାଙ୍କୁ ପ୍ରେମନିବେଦନ କରିବା ସହ ବିବାହ ପ୍ରତିଶ୍ରୁତି ଦେଇ ଜେଲ ଭିତରେ ଶାରିରୀକ ସଂପର୍କ ରଖିଥିଲେ । ଜେଲ ଭିତରେ ଉଭୟଙ୍କୁ ମିଳାମିଶା କରିବା ପାଇଁ ଜେଲର କିଛି କର୍ମଚାରୀ ମଧ୍ୟ ସହଯୋଗ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ଜେଲରୁ ମହିଳା ମୁକୁଳିବା ପରେ ଏବେ ଅଭିଯୁକ୍ତ ଜଣକ ତାଙ୍କୁ ଚିହ୍ନି ନଥିବା କହି ଧରାଛୁଆଁ ଦେଉନଥିବା ସେ ଅଭିଯୋଗ କରିଛନ୍ତି ।

ପୀଡିତାଙ୍କ ଅଭିଯୋଗ ଟିଟିଲାଗଡ ଉପକାରାଗାର ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, ଜେଲ ଭିତରେ ପୁରୁଷ ମହିଳାଙ୍କ ଅଲଗା ସେଲ୍‌ ଥିବା ବେଳେ କେମିତି ଉଭୟଙ୍କ ଭେଟ ହେଉଥିଲା ? ଖାଲି ଭେଟ ତ ନୁହେଁ, ଶାରୀରିକ ସଂପର୍କ ପାଇଁ କେମିତି ପାଉଥିଲେ ସୁଯୋଗ ? ଯଦି ମହିଳାଙ୍କ ଅଭିଯୋଗ ସତ, ତାହେଲେ ସାଙ୍ଘାତିକ । ହୁଗୁଲା ସୁରକ୍ଷା ବ୍ୟବସ୍ଥା ପାଇଁ ଦାୟୀ କିଏ ? ବର୍ତ୍ତମାନ ପୁଲିସ ତଦନ୍ତ ଚଳାଇଥିବା ବେଳେ ଜେଲ ଭିତରର ସିସିଟିଭି ସବୁ କଥାର ଗୁମର ଖୋଲିବ ବୋଲି କୁହାଯାଉଛି ।