ପୁରୀରେ ରଥଯାତ୍ରା ହେବ କି ନାହିଁ , ଦ୍ୱନ୍ଦ୍ୱ ଭିତରେ ସାମ୍ନାକୁ ଆସୁଛି ଭିନ୍ନ ମତ: ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ କହିଲେ, ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଲ ଅନ୍ତର୍ଜାତୀୟ ସମୁଦାୟରେ ବଦନାମ ହେବ ଭାରତ

ସେପଟେ ସୁପ୍ରିମକୋର୍ଟଙ୍କ ହାତରେ ନିଷ୍ପତି ଛାଡିଲା ବିଜେଡି । ନିରଂଜନଙ୍କ ମତ ସଟଡାଉନ୍ କରି କରାଯାଉ ରଥଯାତ୍ରା

399

କନକ ବ୍ୟୁରୋ: ଚଳିତ ବର୍ଷ ରଥଯାତ୍ରା ହେବ ନା ନାହିଁ । ଏବେ ବି ସୁପ୍ରିମକୋର୍ଟରେ ଅଛି ବଲ୍। ରଥ ଯାତ୍ରା ବନ୍ଦ କରିବାକୁ କୋର୍ଟ ରାୟ ଦେବା ପରେ ପୁନଃବିଚାର ପାଇଁ ଦାବି ହୋଇଛି । ତେବେ ପୁରୀ ରଥଯାତ୍ରା ହେଲେ ବିଶ୍ୱକୁ ଏକ ନକରାତ୍ମକ ବାର୍ତ୍ତା ଯିବ । ଅନ୍ତର୍ଜାତୀୟ ସମୁଦାୟରେ ଭରତର ଛବି ତଳକୁ ଖସିଯିବ । ସୁପ୍ରିମକୋର୍ଟ ନିଜ ରାୟରେ କାମ ରହିବା ଜରୁରୀ ବୋଲି ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ୱାଇଁ କହିଛନ୍ତି । ରଥଯାତ୍ରା ହେଲେ ବହୁତ କ୍ଷତି ହେବ । ନିକଟରେ ଇସଲାମ୍ ଓ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀଙ୍କ ସମସ୍ତ ପର୍ବପର୍ବାଣୀ ବନ୍ଦ କରାଯାଇଛି । ତେଣୁ ରଥଯାତ୍ରା କରାଗଲେ ଦେଶରେ ଥିବା ସୁସଂପର୍କ ପ୍ରଭାବିତ ହେବ ।

ଖାରବେଳ ସ୍ୱାଇଁ କହିଛନ୍ତି କିଛି ଲୋକ ନିଜ ସ୍ୱାର୍ଥ ପାଇଁ ରଥ ଯାତ୍ରା କରାଇବା ପାଇଁ ଚାହୁଁଛନ୍ତି । ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ କହିଛନ୍ତି, କିଏ କଣ କହୁଛନ୍ତି ସେଥିରେ କୌଣସି ମାନେ ନାହିଁ । ସୁପ୍ରିମକୋର୍ଟ କହିସାରିବା ପରେ ବିରୋଧୀ କଣ କହୁଛନ୍ତି ସେଥିରେ କିଛି ନାହିଁ । କୋର୍ଟଙ୍କ ରାୟ ଅନୁସାରେ ରଥଯାତ୍ରା ନୀତିକାନ୍ତି କରିବା ପାଇ ତର୍ଜମା ଚାଲିଥିବା କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡେଇ ।

ସେପଟେ ପିସିସି ସଭାପତି କହିଛନ୍ତି ରଥ ଯାତ୍ରା କରିବା ପାଇଁ ସରକାର ଭୟ କରୁଛନ୍ତି । ରଥ ଯାତ୍ରା ହେଲେ ଲୋକଙ୍କ ଭିଡ ହେବ, ଆଉ କରୋନା ବ୍ୟାପିବ ବୋଲି ସରକାର ଭାବୁଛନ୍ତି । ହେଲେ କଟକଣା ଭିତରେ ବିନା ଭକ୍ତରେ ରଥଯାତ୍ରା ହୋଇପାରିବ । ସଟଡାଉନ୍ କରି ସ୍ନାନ ଯାତ୍ରା କରିବା ଭଳି ରଥ ଯାତ୍ରା କଲେ କଳାପାହାଡର କଳା ଇତିହାସ ଲେଖା ହୁଅନ୍ତା ନାହିଁ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।