ଆଇପିଏଲରେ ଲମ୍ବା ଛକା ମାରିଥିବା ଖେଳାଳି କିଏ? କେତେ ମିଟର ଛକା ରେକର୍ଡ କରାଯାଇଛି? ଲମ୍ବା ଛକା ଲିଷ୍ଟର ଟପ୍ ୫ରେ ନାହାନ୍ତି ଧୋନୀ ଏବଂ ରାଇନା

6,192

କନକ ବ୍ୟୁରୋ : ଚଳିତ ବର୍ଷ ଆଇପିଏଲର ପ୍ରତି ମ୍ୟାଚ ରୋମାଂଚକ ହେବାରେ ଲାଗିଛି । ପ୍ରତି ମ୍ୟାଚରେ ସଂଘର୍ଷ ଦେଖିବାକୁ ମିଳୁଛି । ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚ କିଏ ବିଜୟୀ ହେବ ତାହା ମଧ୍ୟ କହି ହେଉନି । ତେବେ ଟୁର୍ଣ୍ଣାମେଂଟର ପ୍ରତି ମ୍ୟାଚରେ ବଡ଼ ବଡ଼ ଛକା ଦେଖିବାକୁ ମିଳିଥାଏ । ଏପରିକି ଲମ୍ବା ଛକା ପାଇଁ ପୁରସ୍କାର ମଧ୍ୟ କରାଯାଉଛି । ତେବେ ଆପଣ ଜାଣିଛନ୍ତି କି, ଆଇପିଏଲ ଇତିହାସରେ ସବୁଠାରୁ ବଡ଼ ଛକା କେଉଁ ଖେଳାଳି ମାରିଛନ୍ତି? ଆଉ ଏହା କେତେ ମିଟରର ରହିଥିଲା? ତେବେ ଆସନ୍ତୁ ନଜର ପକାଇବା ଆଇପିଏଲରେ ଲମ୍ବା ଛକା ମାରିଥିବା ୫ଜଣ ଖେଳାଳିଙ୍କ ସମ୍ପର୍କରେ ।

ତେବେ କହି ରଖୁଛୁ କି, ଦକ୍ଷିଣଆଫ୍ରିୟ କ୍ରିକେଟର ଏ.ବି.ଲ ମର୍କେଲ ସବୁଠାରୁ ବଡ଼ ଛକା ମାରିଛନ୍ତି । ସେ ଚେନ୍ନାଇ ପକ୍ଷରୁ ଖେଳୁଥିବାବେଳେ ଡେକାନ ଚାର୍ଜସର ସ୍ପିନର ପ୍ରଜ୍ଞାନ ଓଝାଙ୍କ ବଲରେ ବଡ଼ ଛକା ମାରିଥିଲେ । ଯାହାକି ୧୨୫ ମିଟର ରହିଥିଲା । ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ ଆଇପିଏଲ କ୍ୟାରିୟରରେ କେହି ଭାଙ୍ଗି ନାହାନ୍ତି । ଟୁର୍ଣ୍ଣାମେଂଟରେ ଏମିତି ବଡ଼ ବଡ଼ ଛକା ଦେଖିବାକୁ ମିଳୁଛି କିନ୍ତୁ ଆଉ ୧୨୫ ମିଟର ବାଲା ଛକା ଦେଖିବାକୁ ମିଳିନାହିଁ ।

ସେପଟେ ଲମ୍ବା ଛକା ଲିଷ୍ଟର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପ୍ରବୀଣ କୁମାର । ଯିଏକି କିଙ୍ଗସ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳୁଥିବାବେଳେ ଏହି ରେକର୍ଡ ଅର୍ଜନ କରିଛନ୍ତି । ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୨୪ ମିଟରର ଏକ ଲମ୍ବା ଛକା ମାରିଥିଲେ । ଯଦିଓ ପ୍ରବୀଣ କୁମାର ଜଣେ ଦକ୍ଷ ବୋଲରଭାବେ ଜଣାଶୁଣା ଥିଲେ ତଥାପି ତାଙ୍କ ଲମ୍ବା ଛକା ଆଇପିଏଲ ଇତିହାସର ଦ୍ୱିତୀୟ ସ୍ଥାନରେ ରହିଛି ।

ତେବେ ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆଦାମ ଗିଲଖ୍ରୀଷ୍ଟ । ସେ କିଙ୍ଗସ ଇଲେଭେନ ପଂଜାବ ପକ୍ଷରୁ ଖେଳୁଥିବାବେଳେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ବିପକ୍ଷରେ ୧୨୨ ମିଟରର ଲମ୍ବା ଛକା ମାରିଥିଲେ ।

ରବିନ ଉଥପ୍ପା । ଲମ୍ବା ଛକା ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ ବାଙ୍ଗାଲୋର ପକ୍ଷରୁ ଖେଳୁଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସର ଦକ୍ଷ ଅଲରାଉଣ୍ଡର ବ୍ରାଭୋଙ୍କୁ ୧୨୦ ମିଟରର ଏକ ଲମ୍ବା ଛକା ମାରିଥିଲେ ।

ଅନ୍ୟପଟେ ଲମ୍ବା ଛକାର ୫ ନମ୍ବର ସ୍ଥାନରେ ତିନିଜଣଙ୍କ ନାମ ରହିଛି । ତେବେ ଏମାନେ ହେଲେ ରସ୍ ଟେଲର, କ୍ରିସ୍ ଗେଲ୍ ଏବଂ ଯୁବରାଜ ସିଂହ । ଏହି ତିନି ଖେଳାଳି ୧୧୯ ମିଟରର ଲମ୍ବା ଛକା ମାରିଛନ୍ତି । କ୍ରିସ୍ ଗେଲ୍ ବାଙ୍ଗାଲୋର ପକ୍ଷରୁ ଖେଳୁଥିବାବେଳେ ପୁନେ ୱାରିୟସ ବିପକ୍ଷରେ ଏହି ରେକର୍ଡ କରିଛନ୍ତି । ଅନ୍ୟପଟେ ଯଦି ରସ ଟେଲରଙ୍କ କଥା କହିବା ତାହେଲେ ସେ ଚେନ୍ନାଇ ଜାକବ ଓରାମଙ୍କ ବିପକ୍ଷରେ ୧୧୯ ମିଟରର ଲମ୍ବା ଛକା ମାରିଥିଲେ । ଯୁବରାଜ ସିଂହ ପଞ୍ଜାବରେ ଥିବାବେଳେ ଚେନ୍ନାଇ ବିପକ୍ଷରେ ଏହି ଲମ୍ବା ଛକା ମାରିବାର ରେକର୍ଡ ଅର୍ଜନ କରିଛନ୍ତି ।