ସଂଘର୍ଷରୁ ସଫଳତାର ଯାତ୍ରା । ଦିନେ ଥିଲେ ପେଣ୍ଟର , ଏବେ ହେଲେ ବଡ଼ ଅଫିସର

4,608

କନକ ବ୍ୟୁରୋ : ସଫଳତା, ଏ ଗୋଟିଏ ଶବ୍ଦ ରେ ରହିଛି ଅନେକ କିଛି । କାରଣ ଏହି ସଫଳତା ହାସଲ୍ କରିବାକୁ କିଏ ଯେ କେତେ କଷ୍ଟ କରିଥାଏ ତାହାର କୌଣସି ସୀମା ନଥାଏ । ବିନା କୌଣସି ସାଧନାରେ ସଫଳତାର ସ୍ୱାଦ ବା କିଏ ପାଇଛି, ସେଥିପାଇଁ ତ କୁହାଯାଏ କଷ୍ଟ କଲେ କୃଷ୍ଣ ମିଳେ, ଯାହାକୁ ପ୍ରମାଣ କରି ଦେଖାଇଛନ୍ତି କେରଳର ଅବିନ ଗୋପୀ । ସମସ୍ୟା ଓ ସଂଘର୍ଷର ପାହାଡ ଚଢି ଶେଷରେ ସେ ସଫଳତାକୁ ନିଜ ନାଁରେ ଲେଖାଇପାରିଛନ୍ତି । ଇଚ୍ଛାଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଅବିନ ଗୋପୀ । ଖୁବ୍ କମ୍ ବୟସରେ ବାପା ଚାଲିଯିବା ପରେ ଛୋଟ ଛୋଟ ଆଖିରେ ଦେଖିଥିବା ସବୁ ସ୍ୱପ୍ନରେ ପାଣି ମିଶିଗଲା । କିଛି ବୁଝିବା ଆଗରୁ କାନ୍ଧରୁ ଉଠିଯାଇଥିଲା ବାପାଙ୍କ ହାତ । ହେଲେ ସେ କେବେ ହାର ମାନିନଥିଲେ । ସମସ୍ତ ବାଧାବିଘ୍ନକୁ ପଛରେ ପକାଇ ଶେଷରେ ପ୍ରଶାସନିକ ଅଧିକାରୀ ବନିଛନ୍ତି ଅବିନ ।

କେରଳର ଅବିନଗୋପୀ , ମନ ଭିତରେ ଥିବା ଇଚ୍ଛାଶକ୍ତି ଏବଂ ପରିଶ୍ରମ ତାଙ୍କୁ ପୁଣି ଥରେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚିତ କରାଇଛି । ଯେଉଁ ବୟସରେ ପିଲାମାନେ ବାପା ମାଆଙ୍କ ସାହାରାରେ ଚାଲନ୍ତି, ସେ ବୟସରେ ବାପାଙ୍କୁ ହରାଇଥିଲେ ଅବିନ । ସ୍ୱପ୍ନ ଦେଖିବା ଆଗରୁ ସବୁ ଆଶା ତାଙ୍କର ସତେ ଯେମିତି କାଚ ଖଣ୍ଡ ପରି ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା । ମାତ୍ର ୧୭ବର୍ଷ ବୟସରେ ବାପାଙ୍କୁ ହରାଇବା ପରେ କୁନି କାନ୍ଧରେ ଆସିଥିଲା ପରିବାର ସମ୍ଭାଳିବାର ବୋଝ । ହାତରେ ବହି ଖାତା ଧରିବା ବୟସରେ ସେ ଧରିଥିଲେ ରଙ୍ଗତୂଳୀ । ଘରର ଦାୟିତ୍ୱ, ନିଜ ସ୍ୱପ୍ନ ପାଇଁ ବେଶ୍ ପରିଶ୍ରମ କରିଥିଲେ ଅବିନ । ପ୍ରଥମେ ରଙ୍ଗମିସ୍ତ୍ରୀ, ପରେ ଡେଲିଭରି ବୟ କାମ କରି ପରିବାର ଚଳାଉଥିଲେ, ହେଲେ ମନରେ ଥିଲା କିଛି ବଡ କରିବାର ଆଶା । ଯାହାକୁ ଶେଷରେ ସଫଳ କରିଦେଖାଇଛନ୍ତି ଅବିନ ।

ଅବିନଙ୍କ ଏହି ସଫଳତାର କାହାଣୀକୁ ଆଇଏଏସ ଡ. ସୁମିତା ମିଶ୍ର ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ଜରିଆରେ ସେୟାର କରିଛନ୍ତି । ଜଣେ ରଙ୍ଗମିସ୍ତ୍ରୀ ରୁ ଡେଲିଭରି ବୟ ଶେଷରେ କିପରି ନିଜର ପରିଶ୍ରମ ବଳରେ କେରଳର ଅବିନ ସଫଳତାର ଶିଢି ଚଢି ଶେଷରେ ଜଣେ ପ୍ରଶାସନିକ ଅଧିକାରୀ ବନିଛନ୍ତି । ଏହି ପୋଷ୍ଟ ସେୟାର ହେବା ପରେ ଏହି ଭିଡିଓ ଦେଖି ବହୁ ଲୋକ ଅବିନଙ୍କ ପରିଶ୍ରମ ଓ ସଫଳତାକୁ ବେଶ୍ ପ୍ରଶଂସା କରିଛନ୍ତି । କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ଆଗରେ କିଭଳି ବାଧାବିଘ୍ନ ହାର ମାନେ , ଏକଥାକୁ ପ୍ରମାଣିତ କରିଦେଖାଇଛନ୍ତି ଅବିନ । ବାପା ଚାଲିଯିବା ପରେ ବାଟବଣା ନ ହୋଇ ଲକ୍ଷ୍ୟସ୍ଥଳରେ ପହଂଚିବାର ମନୋବଳ ନେଇ ଆଗକୁ ବଢିଚାଲିଥିବା ଅବିନ କେବେ ରଙ୍ଗମିସ୍ତ୍ରୀ ତ କେବେ ଡେଲିଭରି ବୟ ବନି ଆଜି ସଫଳତାକୁ ନିକଟରେ ଦେଖିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଅବିନଙ୍କ ପରିସ୍ଥିତିକୁ ନେଇ ବହୁ ଲୋକ ତାଙ୍କୁ ଟାହି ଟାପରା କରିଥିଲେ ହେଁ ସେ ଲକ୍ଷ୍ୟପଥରୁ ହଟି ନଥିଲେ । ସମୟ ସହ ତାଳ ମିଶାଇ ଦୀର୍ଘ ୨ବର୍ଷ କଠିନ ପରିଶ୍ରମ କରିବା ପରେ ଶେଷରେ ସେ କେରଳ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଆଉ ଏବେ ଅବିନ ରାଜସ୍ୱ ବିଭାଗରେ ଡେପୁଟି କଲେକ୍ଟର ପଦବୀରେ କାର୍ଯ୍ୟରତ ଅଛନ୍ତି ।