କନକ ବ୍ୟୁରୋ : ଆଇଟିଡିଓ ପ୍ରକଳ୍ପ । ଅନୁସୂଚିତଜାତି ଓ ଜନଜାତି ବିକଶ ପାଇଁ କାମ କରୁଛି ଏହି ବିଭାଗ । କିନ୍ତୁ ମାଲକାନଗିରିରେ ଏହି ବିଭାଗ କେମିତି କାମ କରୁଛି ତାହା ଆପଣଙ୍କ ସାମନାରେ ରଖିବାକୁ ଯାଉଛୁ । ବିଗତ ଦିନରେ ହୋଇଥିବା ଆଇଟିଡିଏ ପ୍ରକଳ୍ପ ଶ୍ରେଣୀ ଗୃହ ଉପରେ ନଜର ପକାନ୍ତୁ । ବାରମ୍ବାର ମରାମତି କରାଯାଉଥିଲେ ବି ବାସ୍ତବ ଚିତ୍ର କିନ୍ତୁ ବିକଳ ଅବସ୍ଥାରେ ରହିଛି । ଭଙ୍ଗା ଦଦରା ଅବସ୍ଥାରେ ଶ୍ରେଣୀ ଗୃହ । ମାଲକାନଗିରି ଜିଲ୍ଲା ମାଥିଲି ସ୍ଥିତ ବଳଦିଆଗୁଡା, ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ-ମାଧ୍ୟମିମକ ବିଦ୍ୟାଳୟର ଚିତ୍ର । ନିମ୍ନମାନର କାମ ଓ ଯନ୍ତ୍ରୀ ଠିକ୍ ଭାବରେ ଯାଂଚ କରୁନଥିବାରୁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା ।

Advertisment

ତେବେ ନିମ୍ନନାମର କାମ ପଛରେ ସାଂଘାତିକ ଅଭିଯୋଗ ଆଣିଛନ୍ତି, କଂଗ୍ରେସ ନେତା । କହିଛନ୍ତି, କେତେ ଜଣ ହାତଗଣତି ଠିକାଦାରଙ୍କୁ ଛାଡି ଦେଲେ ରାଜନେତାମାନେ ହିଁ ବିଭାଗର ଠିକାଦାର ସାଜି କାମ କରୁଛନ୍ତି । ଯାହା ଫଳରେ କାମର ମାନ ଠିକ୍ ରହୁନାହିଁ ବୋଲି ଅଭିଯୋଗ କରିଛନ୍ତି ।

କେବେ ମାଥିଲି ସଦରର କଥା ନୁହେଁ ବରଂ ମାଲକାନଗିରି ଅଧିକାଂଶ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟଗୁଡିକରେ ଆଇଟିଡିଏ ସଂସ୍ଥା ପ୍ରକଳ୍ପ ରଖି ଏପରି ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗ ଅଧିକାରୀ କ୍ୟାମେରା ସମ୍ମୁଖରେ ମତ ଦେବାକୁ ରାଜି ନାହାନ୍ତି ।