ବିନା ଦରମାରେ ୩୨ ବର୍ଷ ହେଲାଣି ଜଗିଛନ୍ତି ଟ୍ରାଫିକ ପୋଷ୍ଟ । ଦୁର୍ଘଟଣାରେ ଯେମିତି ଜଣଙ୍କ ଜୀବନ ନଯାଏ ସେଥିପ୍ରତି ସଜାଗ ଥାଆନ୍ତି ଗଙ୍ଗାରାମ…ବିନା ଦରମାରେ କାହିଁକି କରନ୍ତି ଟ୍ରାଫିକ ନିୟନ୍ତ୍ରଣ…ପୂରା ଘଟଣା ଜାଣିଲେ ବି ଆପଣଙ୍କ ଆଖିରେ ଲୁହ ଜକାଇ ଆସିବ

198

କନକ ବ୍ୟୁରୋ : ମୋ ଜୀବନ ପଛେ ନର୍କେ ପଡିଥାଉ,ଜଗତ ଉଦ୍ଧାର ହେଉ । ସନ୍ଥ କବି ଭୀମଭୋଇଙ୍କ ଏହି ଉକ୍ତିକୁ ପ୍ରାୟତଃ ସମସ୍ତେ ଜାଣନ୍ତି । କିନ୍ତୁ ଆଜିକାଲି ସମୟରେ ଏହାକୁ କାର୍ଯ୍ୟକାରୀ କରୁଛି ବା କିଏ ? କାରଣ ବର୍ତମାନର ବ୍ୟସ୍ତତା ସମୟ ମଧ୍ୟରେ ମଣିଷ ମହାପୁରୁଷଙ୍କ କଥା ଶୁଣୁଛି ବା କିଏ !! ଆଉ କାର୍ଯ୍ୟକାରୀ କଥା ପଚାରେ ବା କିଏ ? କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ୩୨ ବର୍ଷ ହେବ ବିନା ଦରମାରେ କାମ କରୁଛନ୍ତି ।

ମୋ ପୁଅ ତ ଗଲା ଆଉ କାହା ପୁଅର ଜୀବନ ନ ଯାଉ
ଟ୍ରାଫିକ ପୋଷ୍ଟ ଜଗିବି, ଜୀବନ ବଞ୍ଚାଇବି

ବିନା ଦରମାରେ ୩୨ ବର୍ଷ ଜଗିଛନ୍ତି ଟ୍ରାଫିକ୍

ହୁଏତ ଆପଣଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ନିରାଟ ସତକଥା । ୩୨ ବର୍ଷ ହେଲାଣି ନା ଖରା ନା ଶୀତ ନା ବର୍ଷା । ନିତିଦିନ ଟ୍ରାଫିକ ପୋଷ୍ଟ ଆଗରେ ଛିଡା ହୋଇ ଟ୍ରାଫିକ୍ ନିୟନ୍ତ୍ରଣ କରିବା ଏଙ୍କର କାମ । ପୋଷ୍ଟରେ ସଠିକ ଓ ଶୃଙ୍ଖଳା ଢଙ୍ଗରେ ଗାଡି ଗୁଡିକୁ ଯିବାକୁ ଅନୁମତି ଦିଅନ୍ତି । ରାଜଧାନୀ ଦିଲ୍ଲୀର ସିଲମପୁର ଟ୍ରାଫିକ ଛକରେ ଆପଣ ଏହି ବ୍ୟକ୍ତି ଜଣଙ୍କୁ ଦେଖିପାରିବେ । ଯିଏ କି ସକାଳୁ ସଂଜ ପର୍ଯ୍ୟନ୍ତ ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ନିଜକୁ ବ୍ୟସ୍ତ ରଖନ୍ତି । ଗଙ୍ଗାରାମ ନାମରେ ସ୍ଥାନୀୟ ଅଂଚଳରେ ସମସ୍ତେ ତାଂକୁ ଜାଣନ୍ତି । ବୟସ ୭୨ ପାର୍ ହେଲାଣି କିନ୍ତୁ ମନରେ ଥିବା ଜୋସ ପାଇଁ ଆଜି ବି ସେ ଟ୍ରାଫିକ ଜଗୁଆଳି । ତେବେ ଟ୍ରାଫିକ ପୋଲିସ ଭଳି କପଡା ପିନ୍ଧିଥିବା ଗଙ୍ଗାରାମକୁ ଯିଏ ବି ଦେଖନ୍ତି ସମସ୍ତେ ତାଙ୍କୁ ଟ୍ରାଫିକ କର୍ମଚାରୀ ବୋଲି ଭାବନ୍ତି ।

ବିନା ଦରମାରେ କାହିଁକି କରନ୍ତି ଟ୍ରାଫିକ ନିୟନ୍ତ୍ରଣ ?

ଗଙ୍ଗାରାମ ସକାଳ ୯ଟାରୁ ସନ୍ଧ୍ୟା ୧୦ ଟା ପର୍ଯ୍ୟନ୍ତ ନିତିଦିନ ରାସ୍ତା ଉପରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଦେଖାଯାଏ । ତେବେ ପେଶାରେ ସେ ଜଣେ ଟିଭି ମେକାନିକ ଥିବା ଜଣାଯାଇଛି । ସ୍ତ୍ରୀ ଓ ଏକମାତ୍ର ପୁଅକୁ ନେଇ ବେଶ ହସଖୁସିରେ ଚାଲିଥିଲା ସଂସାର । ହେଲେ ଦୈବ ଦେଲା ଦୁଃଖ । ୩୨ ବର୍ଷ ତଳେ ସେହି ସଡକ ଦୁର୍ଘଟଣାରେ ସୁଖର ସଂସାର ନିମିଷକେ ଛାରଖାର ହୋଇଗଲା । ଗାଡି ଧକ୍କାରେ ଭେଣ୍ଡିଆ ପୁଅ ସବୁଦିନ ପାଇଁ ଆଖି ବୁଜିଦେଲା । ଭେଣ୍ଡିଆ ପୁଅକୁ ଝୁରି ଝୁରି ପତ୍ନୀ ବି ଆରପାରିକୁ ଚାଲିଗଲେ । ପୁଅ ଓ ସ୍ତ୍ରୀଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଲେ ଗଙ୍ଗାରାମ ।

ଦୁଃଖ ଭିତରେ ନେଲେ ଦୃଢ ନିଷ୍ପତ୍ତି

ତେବେ ମନକୁ ଦୃଢ କରି ବ୍ୟସ୍ତବହୁଳ ଛକରେ ଟ୍ରାଫିକ ନିୟନ୍ତ୍ରଣ କରିବେ ବୋଲି ମନସ୍ତ କଲେ । କେବଳ ଯେ, ଚିନ୍ତା କଲେ ତାହା ନୁହେଁ ବରଂ ତାହାକୁ କାର୍ଯ୍ୟକାରୀ କଲେ । ଗଙ୍ଗାରାମଙ୍କ କହିବା ଅନୁସାରେ କି ଦୁର୍ଘଟଣାରେ ଯେମିିତି ଆଉ କାହାର ପରିବାର ଛାରଖାର ନହେଉ କି କେଉଁ ବାପା ମାଆର କୋଳ ଖାଲି ନହେଉ ସେଥିପ୍ରତି ମୁଁ ଧ୍ୟାନ ଦିଏ । ଗାଡିର ବେଗ ଅଧିକ ଥିଲେ ତାକୁ ଅଟକାଇ ଦିଏ ଏବଂ ଟ୍ରାଫିକ ନିୟମ ମାନି ଯିବାକୁ ପରାମର୍ଶ ବି ଦିଏ । ତେବେ ଗଙ୍ଗାରାମଙ୍କ କାମକୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଏ । କିନ୍ତୁ ଏବେବି ସ୍ତ୍ରୀ ଓ ପୁଅକୁ ମନେ ପକାଇ ଗୁମୁରି ଗୁୁମୁରି ଗଙ୍ଗାରାମ କାନ୍ଦନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।