ପଶ୍ଚିମବଙ୍ଗ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ସଭାମଞ୍ଚରୁ ମମତାଙ୍କୁ କଲେ ଟାର୍ଗେଟ୍ । ଚାଷୀଙ୍କ ପ୍ରତି ଅନ୍ୟାୟ କରି ଦିଦି କରୁଛନ୍ତି ଅହଂକାର ରାଜନୀତି

69

କନକ ବ୍ୟୁରୋ : ଆଜି (ଶନିବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ଗସ୍ତ କରିଛନ୍ତି । ସେଠାରେ ଏକ ରାଲିକୁ ସମ୍ବୋଧିତ କରିବା ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଶ୍ରୀ ନଡ୍ଡା କହିଛନ୍ତି କି ଦିଦି (ମମତା ବାନାର୍ଜୀ) ନିଜର ଜିଦ୍, ଅହଂକାର ଓ ଅଭିମାନକୁ ନେଇ ରାଜନୀତି କରୁଛନ୍ତି । ଫଳରେ ରାଜ୍ୟର ୭୦ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ବଞ୍ଚିତ ହୋଇଛନ୍ତି ।

ଅନ୍ୟପଟେ ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଦଳ ପାଇଁ ସମର୍ଥନ ଯୋଗାଡ କରିବାରେ ଲାଗିଛି । ଏନେଇ ୫ ଦିନ ଧରି ପରିବର୍ତ୍ତନ ରଥଯାତ୍ରା କରିବାକୁ ଦଳ ଯୋଜନା କରିଛି । ଏହି କ୍ରମରେ କେନ୍ଦ୍ରୀୟ ବିଜେପି ନେତାମାନେ ଘନ ଘନ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ଏଭଳି କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ବିଜେପି ଚେଷ୍ଟା କରୁଥିବା ବେଳେ ତୃଣମୂଳ କଂଗ୍ରେସ ତରଫରୁ ଆଜିଠାରୁ ଦୁଇଦିନିଆ ବାଇକ୍ ରାଲିର ଶୁଭାରମ୍ଭ କରାଯାଇଛି । ଏହାସହ ପୁଣିଥରେ ସତ୍ତାକୁ ଫେରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଭିନ୍ନ ସ୍ଥାନରେ ପଦଯାତ୍ରା ଜାରି ରଖିଛନ୍ତି ।

ବିଜେପି ଆରମ୍ଭ କରିବାକୁ ଥିବା ପରିବର୍ତ୍ତନ ରଥଯାତ୍ରାକୁ କୋଲକତା ପୋଲିସ ଅନୁମତି ଦେଇନାହିଁ । ଅନୁମତି ନ ମିଳିଲେ ବି ରଥଯାତ୍ରା ବାହାରିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏନେଇ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀ କହିଛନ୍ତି କି କୋର୍ଟ ରଥଯାତ୍ରା ପାଇଁ ସ୍ଥଗିତାଦେଶ ଦେଇ ନଥିବାରୁ ରଥଯାତ୍ରା ଆରମ୍ଭ କରିବାରେ କୌଣସି ଅସୁବିଧା ନାହିଁ କି ଜିଲ୍ଲା ପ୍ରଶାସନ ଏହା ଉପରେ ରୋକ୍ ଲଗାଇବାର ଅଧିକାର ପାଇ ନାହିଁ ।