କନକ ବ୍ୟୁରୋ : ଘରେ ଫୁଟିଛି କାଶ୍ମୀର କେଶର । ଆଉ ତାହା ପୁଣି ବିନା ମାଟି ଆଉ ବିନା ସୂର୍ଯ୍ୟାଲୋକରେ । ଅକ୍ଲାନ୍ତ ପରିଶ୍ରମ ଓ ଗବେଷଣା କରି ଏହାକୁ ସମ୍ଭବ କରିଛନ୍ତି ଭୁବନେଶ୍ୱରର ବାସିନ୍ଦା ସୁବ୍ରତ ମହାନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ମୂର୍ତିକା ବିିଜ୍ଞାନରେ ଅଧ୍ୟୟନ କରି ସେ ଏହା ଉପରେ ଗବେଷଣା କରିଥିଲେ । ଆଉ ଏବେ ଏହାକୁ ନେଇ ସେ ସଫଳ ହୋଇଛନ୍ତି । ଘରେ କେଶର, ଷ୍ଟ୍ରବେରି ସହ ଲିଟ୍ୟୁସ ବା ସାଲାଡ଼ ପତ୍ର ଚାଷ କରିଛନ୍ତି ସୁବ୍ରତ ମହାନ୍ତି । ବିଭିନ୍ନ ଜ୍ଞାନ କୌଶଳ ଉପଯୋଗ କରି ଏଥିରେ ସଫଳ ହେବା ପରେ ଏବେ ବଜାରକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୁବ୍ରତ ।

Advertisment

୨୦୧୪ରୁ ୩୫ରୁ ଉଦ୍ଧ୍ୱର୍ ଗଛ ନେଇ ଗବେଷଣା କରିଥିଲେ ସୁବ୍ରତ । କେଶର, ଲିଟ୍ୟୁସ ଚାଷରେ ପ୍ରଥମେ ବିଫଳ ହେବା ପରେ ହାର ନମାନି ଆଉଥରେ ଗବେଷଣା କରି ସେଥିରେ ସଫଳ ହୋଇଥିଲେ । ଏବେ ଏରୋପନିକ ସିଷ୍ଟମ ପଦ୍ଧତିରେ କୋକୋ ପାଉଡ଼ର ସହ ବିଭିନ୍ନ ଜୈବୀକ ସାର ଦେଇ ସେ ଏହି ଚାଷ କରୁଛନ୍ତି । କେଶର ଚାଷ ପାଇଁ ୫ରୁ ୧୦ ଡିଗ୍ରୀ ତାପମାତ୍ର ଆବଶ୍ୟକ ଥିବା ବେଳେ ଷ୍ଟ୍ରବେରୀ ଚାଷ ପାଇଁ ୧୨ରୁ ୧୫ ଡିଗ୍ରୀ, ଲିଟ୍ୟୁସ୍ ଚାଷ ପାଇଁ ସର୍ବାଧିକ ୨୫ ଡିଗ୍ରୀ ତାପମାତ୍ରାର ଆବଶ୍ୟକତା ରହିଛି । ଏଥିପାଇଁ ନିର୍ଦ୍ଧିଷ୍ଟ ଆଦ୍ରତା ମଧ୍ୟ ଆବଶ୍ୟକତା ରହିଛି । ତେଣୁ ବିଭିନ୍ନ ମେସିନ୍ ତଥା ତାପମାତ୍ରାକୁ ତଦାରଖ କରିବା ପାଇଁ ସେନସର ବ୍ୟବସ୍ଥା କରିଛନ୍ତି ସୁବ୍ରତ ।

ଏହି ସବୁ ଚାଷର ଅଧିକ ଆବଶ୍ୟକତା ରହିଥିବା ବେଳେ କମ୍ ଚାଷ ହେଉଛି । ସେହିଭଳି ଚାହିଦା ଅନୁସାରେ ଉତ୍ପାଦନ ମଧ୍ୟ କମ୍ ହେଉଛି । ତେଣୁ ଅଧିକ ଉତ୍ପାଦନ ପାଇଁ ସୁବ୍ରତ ମହାନ୍ତିଙ୍କ ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।