କନକ ବ୍ୟୁରୋ : ନୋ ୟୋର୍ କଷ୍ଟମର (ନିଜ ଗ୍ରାହକଙ୍କ ଜାଣନ୍ତୁ)କୁ ନେଇ ଯେଉଁ ନିୟମ ରହିଛି ତାହାକୁ ପାଳନ କରିନଥିବା ଗ୍ରାହକମାନଙ୍କ ଖାତାକୁ ବ୍ୟାଙ୍କ ନିଷ୍କ୍ରିୟ କରିପାରିବେ। ବିଶେଷ କରି ନିଜର ପରିଚୟ ଓ ଠିକଣାର ପ୍ରମାଣପତ୍ରକୁ ଅପଡେଟ୍ କରିନଥିବା ଗ୍ରାହକମାନଙ୍କ ଖାତାକୁ ଅଚଳ କରାଯାଇପାରିବ। କେବଳ ବ୍ୟାଙ୍କ ନୁହେଁ ଆର୍ଥିକ ସେବା ପ୍ରଦାନ କରୁଥିବା ଅନ୍ୟ ସଂସ୍ଥାଗୁଡ଼ିକ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରିପାରିବେ।
କେୱାଇସି ନିୟମ ପାଳନ କରିନଥିବା ଗ୍ରାହକମାନଙ୍କ ଖାତାକୁ ଅଚଳ କରିବା ଲାଗି ରହିଥିବା ନିୟମ ୨୦୨୨ ଜାନୁଆରି ୧ରୁ ଲାଗୁ ହେବ। ମନି ଲଣ୍ଡରିଂ ମାମଲା ରୋକିବା ଲାଗି କେୱାଇସି ନିୟମ ପାଳନ କରିବାକୁ କୁହାଯାଇଛି। କେବଳ ବ୍ୟାଙ୍କ ନୁହେଁ ସମସ୍ତ ନିୟନ୍ତ୍ରିତ ସଂସ୍ଥା ଏହି ନିୟମ ପାଳନ କରୁଛନ୍ତି। ଫାଇନାନ୍ସ କଂପାନି, ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥା, ବ୍ରୋକିଂ ହାଉସ୍ ଓ ଡିପୋଜିଟୋରିଗୁଡ଼ିକ ମଧ୍ୟ କେୱାଇସି ନିୟମ ପାଳନ କରୁଛନ୍ତି। ଚଳିତ ବର୍ଷ ମେ’ ମାସରେ କେୱାଇସି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବାର ଥିଲା। କିନ୍ତୁ, ସେହି ସମୟରେ ମହାମାରୀର ଦ୍ବିତୀୟ ଲହର ଶୀର୍ଷରେ ଥିବାରୁ ନିୟମ ଲାଗୁ କରିବାର ସମୟ ସୀମାକୁ ରିଜର୍ଭ ବ୍ୟାଙ୍କ ବଢ଼ାଇଥିଲେ।