ଏଟିଏମ୍ ଅପରେଟରଙ୍କୁ ଆରବିଆଇର ନିର୍ଦ୍ଦେଶ : ଏଟିଏମରେ ବ୍ୟବସ୍ଥାକର କାର୍ଡବିହୀନ କାରବାର

268

କନକ ବ୍ୟୁରୋ : ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଣ ଓ ଡପୋଜିଟ କରୁଥିବା ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଖୁସି ଖବର । ଏଣିକି ବିନା କାର୍ଡରେ ଏଟିଏମରୁ ବାହାର କରିପାରିବେ ଟଙ୍କା । ଏନେଇ ତୁରନ୍ତ ବ୍ୟବସ୍ଥା କରିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଜାରି କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏଟିଏମ୍ ଅପରେଟରମାନଙ୍କୁ ଏଟିଏମ ମେସିନରେ ଇଣ୍ଟରପୋରେବଲ କାର୍ଡ – କମ୍ କ୍ୟାସ ପତ୍ୟାହାର ସୁବିଧା ପ୍ରଦାନ କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି । ଏଭଳି ହେବା ଦ୍ୱାରା ଗ୍ରାହକମାନେ ଏଟିଏମରୁ କାର୍ଡଲେସ କ୍ୟାସ ଉଠାଣର ସୁବିଧା ପାଇପାରିବେ ବୋଲି କୁହାଯାଇଛି ।

ସେପଟେ ଏହି ସେବା ପାଇଁ ଗ୍ରାହକମାନଙ୍କୁ କୌଣସି ଅଧିକ ଶୁଳ୍କ ଦେବାକୁ ପଡିବ ନାହିଁ । ହେଲେ ଏହି ସୁବିଧାର ଲାଭ ଉଠାଇବାକୁ ହେଲେ ଗ୍ରାହକଙ୍କ ପାଖରେ ୟୁପିଆଇର ଆଇଡି ରହିଥିବା ଜରୁରୀ । ଏଭଳି ସୁବିଧା ଉପଲବ୍ଧ ହେଲେ ଏଟିଏମରେ ଗ୍ରାହକମାନଙ୍କୁ ଆଉ ଡେବିଟ୍ କାର୍ଡ ସ୍ୱାଇପ କରିବାକୁ ପଡିବ ନାହିଁ । ଆରବିଆଇ କହିଛି କି ନଗଦବିହୀନ କରାବାର ପାଇଁ ୟୁପିଏ ମାଧ୍ୟମରେ ଗ୍ରାହକଙ୍କ ଅଥରାଇଜେସନ କରାଯିବ । ଏହି କାର୍ଡଲେସ କାରବାର ପାଇଁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ତରଫରୁ ବି ଏକ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିରେ ସମସ୍ତ ବ୍ୟାଙ୍କ ଏଟିଏମକୁ ୟୁପିଆଇ ସହ ଯୋଡିବାକୁ ନିର୍ଦ୍ଦେଶ ଦିଆଯାଇଛି । କହିରଖୁ କି ଏଥିରେ ବି ଆପଣଙ୍କ କାର୍ଡର ଟଙ୍କା ଉଠାଣର ସୀମା ପୂର୍ବଭଳି ଅପରିବର୍ତ୍ତିତ ରହିବ ।

ଦେଶରେ ଏଭଳି କାର୍ଡଲେସ କାରବାର କିଛି ବ୍ୟାଙ୍କ ଯୋଗାଇ ଦେବା ଆରମ୍ଭ କରିଛି । ଏହି ସେବା ଯୋଗାଇ ଦେବା କ୍ଷେତ୍ରରେ ଏବେ ଘରୋଇ ବ୍ୟାଙ୍କମାନେ ଆଗରେ ଥିବା ଜଣାପଡିଛି । ଏଚଡିଏଫସି ଓ ଆଇସିଆଇସିଆଇ ଭଳି ବ୍ୟାଙ୍କମାନେ ଏବେ ଏଭଳି ସୁବିଧା ଯୋଗାଇଦେବା ଆରମ୍ଭ କରିଛନ୍ତି ।

କହିରଖୁ କି କାର୍ଡଲେସ ଟ୍ରାନଜାକସନ ହେଲେ ପୂର୍ବଭଳି ଗ୍ରାହକମାନେ ସାଇବର ଠକେଇରେ ଶିକାର ହେବା କମ୍ ହେବ । କାର୍ଡ ହଜିବା ଓ ଚୋରୀ ହେବାର ଭୟ ରହିବ ନାହିଁ । ଏହାସହ ପ୍ରତିବର୍ଷ ଏଟିଏମ ସେବା ବାବଦରେ ବ୍ୟାଙ୍କ ଯେଉଁ ଚାର୍ଜେସ ଗ୍ରାହକମାନଙ୍କ ଠାରୁ ନେଉଛି ତାହା ବି ବନ୍ଦ ହୋଇଯିବ ।