ନଥିଲା ବ୍ୟାଣ୍ଡବାଜା, ନଥିଲେ ବରଯାତ୍ରୀ । ୨୪ କିଲୋମିଟର ଦୂରରୁ ସାଇକେଲ୍ ନେଇ ବାହାହବାକୁ ଏକା ଆସିଲେ ବର, ଏମିତି ହେଲା ବାହାଘର ।

350

କନକ ବ୍ୟୁରୋ : ନଥିଲା ବ୍ୟାଣ୍ଡବାଜା, ନଥିଲେ ବରଯାତ୍ରୀ । ସାଇକେଲ୍ ନେଇ ବାହାହବାକୁ ଆସିଲେ ବର । ଏମିତି ବାହାଘର ହୁଏତ ଆପଣ ଆଗରୁ କେବେ ଦେଖିନଥିବେ । ଯେଉଁଠି ବିବାହ କରିବାକୁ ୨୪ କିଲୋମିଟର ଦୂରରୁ ନିଜେ ସାଇକେଲ୍ ଚଲାଇ ଆସିଲା ବର । କରୋନା ମହାମାରୀର ମୁକାବିଲା ପାଇଁ ଦେଶର ଅନେକ ରାଜ୍ୟରେ ବିଭିନ୍ନ କଟକଣା ଜାରି କରାଯାଇଛି । ଏପରିକି କୌଣସି ଉତ୍ସବ ଏବଂ ବିବାହ ଶୋଭାଯାତ୍ରା ଉପରେ ମଧ୍ୟ ପ୍ରତିବନ୍ଧକ ଜାରି କରାଯାଇଛି । ତେବେ ଅଳ୍ପ କିଛି ସମ୍ପର୍କୀୟଙ୍କ ଗହଣରେ ବିନା ବ୍ୟାଣ୍ଡବାଜାରେ କରୋନା ନିୟମ ମାନି ବାହାଘର କରିବାକୁ ଅନୁମତି ରହିଛି । ଆଉ ଜଣେ ସଚେତନ ନାଗରିକ ହିସାବରେ କରୋନାର ସବୁ ନିୟମ ମାନି କିଛି ଏମିତି ବିବାହ କରିଛନ୍ତି ବିହାରର ଗୌତମ କୁମାର ।

ନଥିଲା ବ୍ୟାଣ୍ଡବାଜା, ଆଉ ନଥିଲେ ବରଯାତ୍ରୀ । ୨୪ କିଲୋମିଟର ଦୂରରୁ ନିଜେ ସାଇକେଲ୍ ଚଲାଇ ବାହା ହବାକୁ ଆସିଲା ବର । ଗତ ବର୍ଷ ଜାନୁଆରୀ ମାସରେ ବିହାର ଭାଗଲପୁର ନିବାସୀ ଅନିଲ ତାନ୍ତିଙ୍କ ପୁଅ ଗୌତମ କୁମାରଙ୍କ ବାହାଘର ବାଙ୍କା ଜିଲ୍ଲାର କୁମକୁମ କୁମାରୀଙ୍କ ସହ ସ୍ଥିର ହୋଇଥିଲା । କିନ୍ତୁ କରୋନା ସଂକ୍ରମଣ ପାଇଁ ସେତେବେଳେ ବାହାଘର ଘୁଂଚାଇବାକୁ ପଡିଥିଲା । ଚଳିତବର୍ଷ ମଧ୍ୟ ଯେତେବେଳେ ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୁଯାୟୀ, ତାରିଖ ପଡିଥିଲା, ସେତେବେଳେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପାଦ ଦେଇଥିବାରୁ ଲକଡାଉନ୍ ମଧ୍ୟ ଲାଗୁକରାଯାଇଥିଲା । ପୁଣି ଥରେ ବାହାଘର ଘୁଂଚିଯିବାରୁ କଟକଣା ଭିତରେ ବାହାହବାକୁ ସ୍ଥିର କରିଥିଲେ ଗୌତମ ।

ଆଉ ଗତ ଶୁକ୍ରବାର ନିଜେ ଏକା ଏକା ସାଇକେଲ୍ ନେଇ ବାହାହବାକୁ ୨୪ କିଲୋମିଟର ଦୂର କନିଆ ଘରେ ପହଂଚିଥିଲେ ବର । ଆଉ ଝିଅ ଘର ଲୋକ ମଧ୍ୟ ରୀତିନୀତି ଅନୁଯାୟୀ, ବରର ସ୍ୱାଗତ କରିଥିଲେ । ଏହା ପରେ ସଙ୍ଗେ ସଙ୍ଗେ ପଣ୍ଡିତଙ୍କୁ ଡକାଯାଇଥିଲା, ଆଉ ସେହି ଦିନ ହିଁ ରୀତିନୀତି ଅନୁଯାୟୀ ବାହାଘର ହୋଇଥିଲା । କରୋନାର ସବୁ ନିୟମ ମାନି କୁମକୁମଙ୍କୁ ସାତ ଜନମର ସାଥୀ କରିଛନ୍ତି ଗୌତମ ।

ତେବେ ଗୌତମଙ୍କ ଏଭଳି ଉଦ୍ୟମ ବାବଦରେ ଜାଣି ସ୍ଥାନୀୟ ଜିଲ୍ଲା ପ୍ରଶାସନର ଅଧିକାରୀ ସେଠାରେ ପହଞ୍ଚିବା ସହ, ବରକନ୍ୟାଙ୍କୁ ଆଶୀର୍ବାଦ ଏବଂ ପୁରସ୍କାର ଦେଇଥିଲେ । ଏବଂ କହିଥିଲେ, ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଗୌତମ । ତେବେ ଆଖାପାଖ ଅଂଚଳରେ ଏହି ବାହାଘରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ, ଗୌତମ ଏବଂ କୁମକୁମଙ୍କୁ ଲୋକେ ପ୍ରଂଶସା କରୁଛନ୍ତି ।