ବିନା କୌଣସି ତାଲିମରେ ହୃଦୟକୁ ତରଳାଇଦେଲା ଭଳି ଗୀତ ଗାଉଛନ୍ତି କଳାହାଣ୍ଡି କୋକସରାର ଏହି ଯୁବ ଗାୟକ ବୁବୁ ନାଗ : ଶାସ୍ତ୍ରୀୟ ସଂଗୀତରୁ ଆରମ୍ଭ କରି ଆଧୁନିକ ପର୍ଯ୍ୟନ୍ତ ସବୁ ଗୀତରେ ପାରଙ୍ଗମ ଏହି ଯୁବ ଗାୟକ , ପ୍ରଶାସନଙ୍କ ଦୃଷ୍ଟି ପଡ଼ିଲେ ପାଦେ ଆଗେଇବ ପ୍ରତିଭାର ଏହି କଢି

318

କନକ ବ୍ୟୁରୋ : ବିନା ପ୍ରଶିକ୍ଷଣ, କେବଳ ଅଭ୍ୟାସ ବଳରେ ଆଜି ଲୋକଙ୍କ ମନ ଜିଣୁଛନ୍ତି ଏକ ଅଖ୍ୟାତ ପଲ୍ଲୀର ଏହି ନାବାଳକ । କଳାହାଣ୍ଡି ଜିଲ୍ଲାର ପଛୁଆ ଅଂଚଳ ଭାବେ ପରିଚିତ କୋକସରା ଜିଲ୍ଲାର ଗହନାମୁଣ୍ଡା ଗାଁର ବୁବୁ ନାଗ । ପିଲାଟି ଦିନରୁ ନିଜ ଉଦ୍ୟମରେ ଅନ୍ୟ ଗାୟକଙ୍କ ଗୀତ ଶୁଣି ଶୁଣି ଗୀତ ଶିଖିଛନ୍ତି ବୁବୁ ।

ସମ୍ବଲପୁରୀ ଗୀତ ହେଉ କି ଶାସ୍ତ୍ରୀୟ ଗୀତ, ଭଜନ ହେଉ କି ଆଧୁନିକ ଗୀତ, ସବୁ ପ୍ରକାର ଗୀତକୁ ସୁନ୍ଦର ଭାବରେ ଫୁଟାଉଛନ୍ତି ଏହି ଯୁବ ଗାୟକ । ସୋସିଆଲ ମିଡିଆରେ ଏବେ ତାଙ୍କର ଗୀତ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଗରିବୀ ତାଙ୍କ ପାଇଁ ସାଜିଛି ବାଧକ । ଭଲ ଛାତ୍ର ଭାବେ ପରିଚିତ ଥିବା ବୁବୁ ନାଗ ପରିବାର ପାଇଁ ଏବେ ଟ୍ୟୁସନ କରୁଛନ୍ତି ।

ହେଲେ ନିଜ କଳାର ବିକାଶ ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ ।  ତିନି ମାସ ତଳେ ନିଜ ବାପାଙ୍କୁ ହରାଇଥିବା ବୁବୁଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଲୋଡା ପ୍ରୋତ୍ସାହନ ଓ ସହାୟତା । ଏତକ ମିଳିଲେ ହୁଏତ ନିଜ କଳା ବିକାଶ କରିବା ସହ ଅଂଚଳ ଓ ରାଜ୍ୟ ପାଇଁ ଗୌରବ ଆଣିପାରିବେ ଏହି ଯୁବ ଗାୟକ ।