ଏମିତି ବି କଷ୍ଟ ଦିଏ କରୋନା । କରୋନାରେ ଆରପାରିକୁ ଚାଲିଗଲା ବଡ଼ ପୁଅ । ବଡ଼ ପୁଅର ଅନ୍ତିମ ସଂସ୍କାର ସାରି ବାପା ଶଶ୍ମାନରୁ ଫେରିବା ବେଳକୁ ଚାଲିଗଲା ସାନପୁଅର ଜୀବନ ।

8,157

କନକ ବ୍ୟୁରୋ : କରୋନା ଦିନେ କଷ୍ଟର ଏମିତି କାହାଣୀ ଲେଖିବ, ତାହା କେହି କେବେ ସ୍ୱପ୍ନରେ ବି ଭାବିନଥିଲେ । ମହାମାରୀର ମହାତାଣ୍ଡବ, କେତେ ଯେ ଆଖିକୁ ଓଦା କଲାଣି, ତାହା ଭାବିଲା ବେଳକୁ ଛାତି ଥରିଉଠୁଛି । ଆଉ ଏହାରି ଭିତରେ ନୋଏଡା ଜଲାଲପୁରରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଯାହା ଜାଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ ।

ମାତ୍ର କେଇଟା ସମୟ ମଧ୍ୟରେ ନିଜର ଦୁଇ ପୁଅଙ୍କୁ ମୁଖାଗ୍ନି ଦେଇଛନ୍ତି ବାପା । ମା କୋଳକୁ ଖାଲି କରିଦେଇଛି କରୋନା । ଏଭଳି ଛାତିଥରା ଘଟଣା ଆଉ କେବେ କେଉଁଠି ନଘଟୁ । ଜଲାଲପୁର ଗାଁରେ ରହୁଥିବା ଅତର ସିଂହଙ୍କ ପୁଅ ପଙ୍କଜ କରୋନାରେ ସଂକ୍ରମିତ ହୋଇଥିଲେ । ଆଉ ଜୀବନ ମରଣ ସହ ସଂଘର୍ଷ କରି ଗତ ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲା । ପୁଅର ଅନ୍ତିମ ସଂସ୍କାର କରି, ଛାତିରେ ପଥର ରଖି ଯେତେବେଳେ ବାପା ଶଶ୍ମାନରୁ ଘରକୁ ଫେରିଲେ, ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ଗୋଟିଏ ପୁଅକୁ ମୁଖାଗ୍ନି ଦେଇ ଫେରିଥିବା ବାପା କେବେ ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ, ଯେ ଏମିତି କଷ୍ଟ ଦେଇଯିବ କରୋନା । ଅନ୍ତିମ ସଂସ୍କାର ସାରି ଘରେ ପହଞ୍ଚିବା ବେଳକୁ କାଳ କରୋନା ଆଉ ଗୋଟିଏ ପୁଅ ଦୀପକକୁ ବି ଛଡାଇନେଲା । ଗୋଟିଏ ପୁଅକୁ ହରାଇ ପରିବାର ଆଖିରୁ ଲୁହ ଶୁଖିନଥିବା ବେଳେ, ବିଧାତା ଆଉ ଗୋଟେ ପୁଅକୁ ବି ଛଡାଇନେଲା । ମାତ୍ର କେଇଟା ସମୟ ଭିତରେ ଦୁଇ ପୁଅଙ୍କୁ ହରାଇଲେ ବାପା ମା ।

କରୋନା ଦିନେ ଏମିତି ଯେ, କଷ୍ଟ ଆଣିଦେବ ତାହା କେହିକେବେ ଭାବିନଥିଲେ । ମୃତ୍ୟୁର ତାଣ୍ଡବ ରଚୁଛି ମହାମାରୀ । କେତେବେଳେ ଯେ, ଅକ୍ସିଜେନ୍ ଅଭାବରୁ କାହାର ଜୀବନ ଚାଲିଯାଉଛି, ଆଉ କେତେବେଳେ କରୋନାରେ ସଂକ୍ରମିତ ହୋଇ, ଜୀବନ ମରଣ ସଂଘର୍ଷ କରି ପ୍ରାଣ ହରାଉଛନ୍ତି ଲୋକେ । ଏଭଳି ସମୟରେ ସମସ୍ତଙ୍କୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ।

ସବୁବେଳେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ । କିଛି ଜରୁରୀ କାମ ନଥିଲେ, ଅଯଥାରେ ବାହାରକୁ ବାହାରନ୍ତୁ ନାହିଁ । କୋଭିଡ୍ ନିୟମର ଠିକ୍ ଭାବେ ପାଳନ କରନ୍ତୁ । ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ।