ସଙ୍କଟରେ ମହାରାଷ୍ଟ୍ର ସରକାର: ଶିବସେନା କହିଲା, ୨୪ ଘଂଟା ଭିତରେ ବିଦ୍ରୋହୀ ବିଧାୟକ ଫେରିଲେ, ମେଂଟରୁ ଓହରି ଆସିବ ଦଳ

222

କନକ ବ୍ୟୁରୋ: ଗୋଟିଏ ପଟେ ଗୌହାଟିର ଏକ ହୋଟେଲରେ ଶିବସେନାର ଅସନ୍ତୁଷ୍ଟ ବିଧାୟକ । .. ଆଉ ଗୋଟିଏ ପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରୀ ବାସଭବନ ଛାଡି ମାତୋଶ୍ରୀକୁ ଫେରିଛନ୍ତି । ଏନସିପି ଏବଂ କଂଗ୍ରେସ ସହ ମେଂଟ ଭାଙ୍ଗିବାକୁ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେ ସର୍ତ ରଖିବା ପରେ ଅକଳରେ ପଡିଛି ମହାବିକାଶ ଅଘାଡି ସରକାର । ଅନ୍ୟପଟେ ଉଦ୍ଧବ ଠାକରେ ଏହି ସବୁ ପ୍ରସଙ୍ଗରେ ନିରବ ରହିଥିବା ନେଇ ଏକନାଥ ମରାଠୀ ଭାଷାରେ ଏକ ବିବୃତି ଜାରି କରିଛନ୍ତି ।

ମୋଟ୍ ୫୫ ବିଧାୟକଙ୍କ ମଧ୍ୟରୁ ସଂଖ୍ୟା ଗଣିତରେ ଏବେ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ପାଖରେ ୩୪ ବିଧାୟକ ଥିବା ନେଇ ଉପବାଚସ୍ପତି ନରହରି ଜିରୱାଲ କହିଥିବା ବେଳେ ଉଦ୍ଧବଙ୍କ ସମର୍ଥନରେ ୧୨ ବିଧାୟକ ଏବଂ ଦଳର ଆଉ ୯ ବିଧାୟକଙ୍କ ଆଭିିମୁଖ୍ୟ ନିରପେକ୍ଷ ରହିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ରହିଛି । ବିଧାନସଭାକୁ ନିଜ ସପକ୍ଷରେ ଥିବା ବିଧାୟକଙ୍କ ତାଲିକା ପଠାଇଛନ୍ତି ସିନ୍ଦେ । ଏବେ ସଂଖ୍ୟା କମିବା ପରେ ବିଧାନସଭାରେ ଶିବସେନାର ନେତୃତ୍ୱ ପରିବର୍ତନର ଆଶଙ୍କା ପ୍ରକାଶ ପାଇଛି । ଏମିତିକି ଉଦ୍ଧବ ଠାକରେଙ୍କ ନିୟନ୍ତ୍ରଣରୁ ଶିବସେନା ଯିବାର ଆଶଙ୍କା ମଧ୍ୟ ରହିଛି । ଏବେ ଉଦ୍ଧବ ଠାକରେ ଏକନାଥଙ୍କ ସର୍ତ ମାନି ନିଜ ପଟକୁ ଆଣିବାକୁ ଚିନ୍ତା କରୁଥିବା ଜଣାପଡିଛି । ଆଉ ଏକନାଥଙ୍କ ପାଖରେ ଥିବା ବିଧାୟକଙ୍କ ମଧ୍ୟରୁ ୨୦ ଜଣଙ୍କ ସଂସ୍ପର୍ଶରେ ନିଜେ ଅଛନ୍ତି ବୋଲି ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି ।

ଶିବସେନାରେ କନ୍ଦଳ ଏବେ ମହାମେଂଟରେ ସାମିଲ ଥିବା ଏନସିପି ଏବଂ କଂଗ୍ରେସର ଚିନ୍ତା ବଢାଇଛି । ଗତକାଲି ଏନସିପି ସୁପ୍ରିମୋ ଉଦ୍ଧବଙ୍କ ସହିତ ଏକ ଘଂଟାର ବୈଠକ କରିବା ପରେ ଆଜି ବିଧାୟକଙ୍କ ସହ ବୈଠକ କରି ବିରୋଧୀ ଆସନରେ ବସିବାକୁ ପ୍ରସ୍ତାବ ଦେଇଛନ୍ତି । ଶିବସେନା ସୁପ୍ରିମୋଙ୍କ ସହ ଏଭଳି ପରିସ୍ଥିତିରେ ଏନସିପି ରହିଛି ବୋଲି କହିଛନ୍ତି ଜୟନ୍ତ ପାଟିଲ କହିଛନ୍ତି । ଆଉ ସ୍ଥିତି ବିଗୁଡିଥିବା ଦେଖି କଂଗ୍ରେସ ମଧ୍ୟ ଜରୁରୀକାଳୀନ ବୈଠକ କରିଛିି । ରାଜ୍ୟରେ ସରକାର ଭାଙ୍ଗିବାକୁ ବିଜେପି ଷଡଯନ୍ତ୍ର କରୁଛି ବୋଲି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି । ତେବେ ବିଜେପି ଏହି ପ୍ରସଙ୍ଗରେ ନିରବ ରହି ମାପିଚୁପି ନିଜ ଉଦ୍ଦେଶ୍ୟ ଆଡକୁ ଅଗ୍ରସର ହେଉଥିବା ସୂଚନା ରହିଛି ।

ସେପଟେ ଗୌହାଟିରେ ବିଦ୍ରୋହୀ ବିଧାୟକଙ୍କ ଏକ ହୋଟେଲ ଆଗରେ ଟିଏମସି ବିକ୍ଷୋଭ ପ୍ରଦର୍ଶନ କରିଛି । ଆଉ ମମତା ବାନାର୍ଜୀ କହିଛନ୍ତି ଗୌହାଟି ବଦଳରେ ପଶ୍ଚିମବଙ୍ଗକୁ ବିଧାୟକ ଆସନ୍ତୁ ।