ପୁଣି କରୋନା କାୟାରେ କବଳିତ ହେବାକୁ ଯାଉଛି ଦେଶ । ଗତ ୨୪ ଘଂଟାରେ ୫୯ ହଜାର ନୂଆ ସଂକ୍ରମିତ ଚିହ୍ନଟ । କେବଳ ମହାରାଷ୍ଟ୍ରରୁ ୩୬ ହଜାର ନୂଆ ସଂକ୍ରମିତ

126

କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୯ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କେବଳ ମହାରାଷ୍ଟ୍ରରୁ ରହିଛନ୍ତି ୩୬ ହଜାର । ଦିଲ୍ଲୀରେ ବି ସ୍ଥିତି ଅସମ୍ଭାଳ । ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରୁ ୧୫୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ପଞ୍ଜାବ ବି ସଂକ୍ରମିତଙ୍କ ସଂଖ୍ୟାରେ ପଛରେ ପଡିନାହିଁ । ଗତ ୨୪ ଘଂଟା ମଧ୍ୟରେ ପଞ୍ଜାବରେ ୨୭୦୦ ନୂଆ ମାମଲା ଆସିଛି । ସବୁଠାରୁ ବଡକଥା ହେଉଛି ପଞ୍ଜାରୁ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ନୂଆ ଷ୍ଟେନ ବୋଲି ଜଣାପଡିଛି । ପରୀକ୍ଷା ହୋଇଥିବା ୧୧୫ ଟି ମାମଲାରୁ ୧୦୬ ଟି ମାମଲା ୟୁ.କେ ଷ୍ଟେନ ବୋଲି ଜଣାପଡିଛି ।

ଏବେ ଦେଶରେ ହୋଲି ଓ ଇଦ୍ ଭଳି ପର୍ବ ଥିବାରୁ ଏହାକୁ ନେଇ ଚିନ୍ତାରେ ସରକାର । ଏହି ପର୍ବ ମାନଙ୍କରେ ଲୋକମାନଙ୍କର ଭିଡ ପରିଲକ୍ଷିତ ହେଉଥିବାରୁ ଏହାକୁ ରୋକିବାକୁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ଏହାସହ ପୁଣି ପୂର୍ବଭଳି କୋଭିଡ୍ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଲୋକମାନଙ୍କୁ ସରକାର ପରାମର୍ଶ ଦେଉଛନ୍ତି । ମଲ, ସିନେମା ହଲ,ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ଲୋକମାନଙ୍କୁ କିଭଳି ସଚେତନ କରାଯାଇପାରିବ ସେନେଇ ସରକାରଙ୍କ ତରଫରୁ ବିଭିନ୍ନ ସଚେତନତା କରାଯାଉଛି । ଅନ୍ୟପଟେ କିଛି ରାଜ୍ୟରେ ନାଇଟ୍ କଫ୍ୟୁ ଲଗାଯାଇଥିବା ବେଳେ ଅମାନିଆ ମାନଙ୍କୁ ସାବାଡ କରିବାକୁ ପୋଲିସ ଗୋଡେ ଗୋଡେ ଜଗିଛି ।