‘ଫୋନି’ର ତାଣ୍ଡବ ପରେ ଓଡିଶାକୁ ସହାୟତା ପାଇଁ ସୋସିଆଲ ମିଡିଆରେ ଅନୁରୋଧ । ବଲିଉଡ୍ ଷ୍ଟାରଙ୍କ ଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ସହାୟତା ପାଇଁ କଲେ ନିବେଦନ । 

250

କନକ ବ୍ୟୁରୋ : ଭୀଷଣରୁ ଅତି ଭୀଷଣ ରୂପ ଧାରଣ କରି ପୁରୀ, ଭୁବନେଶ୍ୱର ସମେତ ଅଧା ଓଡିଶାକୁ ଛାରଖାର କରିଦେଇଥିବା ସାମୁଦ୍ରିକ ବାତ୍ୟା ‘ଫୋନି’ ଏହାରି ଭିତରେ ଓଡିଶା ଛାଡି ଚାଲିଯାଇଛି । କିନ୍ତୁ ବାତ୍ୟା ଯେଉଁ ଚିହ୍ନ ଛାଡିଯାଇଛି, ତାହା କେବେ ଯେ ଲିଭିବ, ତାର ଆକଳନ ମଧ୍ୟ କରିହେଉନାହିଁ । ଉପକୂଳ ଓଡିଶାରେ ଫୋନି ପ୍ରବଳ କ୍ଷୟକ୍ଷତି ଘଟାଇଥିବା ବେଳେ ଅନେକ ଧନଜୀବନ ନଷ୍ଟ ହୋଇଛି । ଆଉ ଏହାରି ଭିତରେ ଉଜୁଡି ଯାଇଥିବା ଓଡିଶାକୁ ଗଢିତୋଳିବା ପାଇଁ ସହାୟତା କରିବାକୁ ସୋସିଆଲ ମିଡିଆରେ ଛୁଟୁଛି ନିବେଦନର ସୁଅ ।

ବଲିଉଡ୍ କଳାକାରଙ୍କ ଠାରୁ ଆରମ୍ଭ କରି କ୍ରିକେଟର ସମସ୍ତେ ଓଡିଶାକୁ ସାହାଯ୍ୟ ପାଇଁ ଅନୁରୋଧ କରୁଛନ୍ତି । ବାତ୍ୟା ‘ଫୋନି’ରେ ହୋଇଥିବା କ୍ଷୟକ୍ଷତିର ଭରଣା ଏବଂ ବାତ୍ୟା ପୀଡିତଙ୍କୁ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସହାୟତା ଯୋଗାଇଦେବା ପାଇଁ ଅନୁରୋଧ କରୁଛନ୍ତି ଅନେକ ସେଲିବ୍ରିଟି । କମେଡି କିଙ୍ଗ୍ କପିଲ ଶର୍ମା ଏବଂ କପିଲ ଶର୍ମା ସୋ’ର ଅନେକ ମେମ୍ବର, ବଲିଉଡର ଅନେକ କଳାକାର ବାତ୍ୟାର ଏହି ବିଭୀଷିକା ପରେ ଓଡିଶା ସହ ରହିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ http://cmrfodisha.gov.in/ରେ ସହାୟତା ଯୋଗାଇ ଦେବା ନେଇ ଚାଲିଛି #WithYouOdishaଅଭିଯାନ ।

ବାତ୍ୟା ‘ଫୋନି’ ପ୍ରଭାବରେ ଛାରଖାର ହୋଇଯାଇଥିବା ଓଡ଼ିଶା ଓ ମୂଲ୍ୟବାନ ଜନଜୀବନକୁ ପୁଣିଥରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ମାଧ୍ୟମରେ ସହାୟତା କରିବାକୁ ଅପିଲ୍ କରିଛନ୍ତି ନବୀନ । ନିଜ ଅଫିସିଆଲ ଟ୍ୱିଟର ପେଜ୍ ମାଧ୍ୟମରେ ନବୀନ କହିଛନ୍ତି କି, ବାତ୍ୟା ‘ଫୋନି’ ଆମ ରାଜ୍ୟକୁ ଭାଙ୍ଗିଦେଇଛି କିନ୍ତୁ ଆମ ଭରସା ଓ ବିଶ୍ୱାସକୁ ନୁହେଁ । ତେଣୁ ପୁଣି ଥରେ ଏକ ସୁନ୍ଦର ଓଡ଼ିଶା ଗଢ଼ିବା ପାଇଁ ସହାୟତାର ହାତ ବଢ଼ାଇବାକୁ ସୋସିଆଲ ମିଡ଼ିଆରେ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।