ପାଖେଇ ଆସୁଛି ‘ଫୋନି’ । ଘଣ୍ଟାକୁ ୨୨ କିମି ବେଗରେ ମାଡି ଆସୁଛି ବାତ୍ୟା, ଲ୍ୟାଣ୍ଡଫଲ୍ ସମୟରେ ୧୮୫ କିମି ବେଗରେ ବୋହିପାରେ ପବନ ।

648

କନକ ବ୍ୟୁରୋ : ଆଗକୁ ବଢୁଛି ଫୋନି, ଆଶଙ୍କାରେ ଓଡିଶା । ଓଡିଶା ମୁହାଁ ହେଉଛି ବାତ୍ୟା ଫୋନି । ଘଂଟାକୁ ୨୨ କିଲୋମିଟର ବେଗରେ ଏହା ଗତି କରୁଛି । ୩ ତାରିଖ ସଂଧ୍ୟା ସୁଦ୍ଧା ଏହା ଓଡିଶା ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପୁରୀରୁ ୮୦୦ କିଲୋମିଟର ଦୂରରେ ରହିଛି ଏହି ସାମୂଦ୍ରିକ ଝଡ ଫୋନି । ଆଗାମି ୧୨ ଘଂଟା ମଧ୍ୟରେ ଏହା ଏକ୍ସଷ୍ଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟୋର୍ମର ରୂପ ନେବ ।

ସ୍ଥଳଭାବ ଛୁଇଁବା ସମୟରେ ପବନର ବେଗ ଘଂଟାପ୍ରତି ୧୭୫ରୁ ୧୮୫କିଲୋମିଟର ରହିବ । ଏହା ୨୦୫ ମଧ୍ୟ ଛୁଇଁପାରେ । ଏବେ ଫୋନି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ସାରିଛି । ଗତ ୬ ଘଂଟା ହେବ ଫୋନି ବର୍ତ୍ତମାନ ସମୁଦ୍ର ଭିତରେ ଘଂଟା ପ୍ରତି ୨୩ କିଲୋମିଟର ବେଗରେ ଗତି କରୁଛି । ଆସନ୍ତାକାଲି ଅର୍ଥାତ୍ ୧ ତାରିଖ ସଂଧ୍ୟା ଠାରୁ ଫୋନି ଉତ୍ତର-ଉତ୍ତର ପୂର୍ବ ହୋଇ ଓଡିଶା ଉପକୂଳ ଦିଗରେ ଗତି କରିବ ବୋଲି ଅନୁମାନ କରୁଛି ଆଇଏମଡି । ୪ ତାରିଖ ସକାଳ ସାଢେ ୫ଟାରୁ ଏହା ଧିରେ ଧିରେ ଦୁର୍ବଳ ହେବ ।

ସେପଟେ ବାତ୍ୟା ଫୋନି ନେଇ ସଚିବାଳୟରେ ସମୀକ୍ଷା ବୈଠକ ବସିଛି । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ବି ଉପସ୍ଥିତି ଥିଲେ । ବାତ୍ୟା ନେଇ ରାଜ୍ୟ ସରକାର ସତର୍କ ଥିବା କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ସମସ୍ତ ଉପକୂଳବର୍ତୀ ଅଂଚଳ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ୮୮୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଆସନ୍ତା ୨ ତାରିଖରୁ ଉପକୂଳବର୍ତୀ ଅଂଚଳ ଲୋକମାନଙ୍କୁ ସତର୍କ କରାଯାଇଛି । ରିଲିଫ ସାମଗ୍ରୀ, ଖାଦ୍ୟ ପ୍ରସ୍ତୁତ ରହିଛି । ପୂର୍ବାନୁମାନ ଅନୁସାରେ ୩ ତାରିଖରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି ।

ଆସୁଥିବା ସାମୁଦ୍ରିକ ବାତ୍ୟା ଫୋନିକୁ ନେଇ ସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟରେ ନବୀନ କହିଛନ୍ତି ସାମୁଦ୍ରିକ ବାତ୍ୟା ଫୋନିର ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ହୋଇଛି । ଉପକୂଳ ଜିଲ୍ଲା ଗୁଡିକ ନିକଟରେ ଏହା ଅତିକ୍ରମ କରୁଥିବାରୁ, ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଛି । ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପୁରା ସଜାଗ ଥିବା ନବୀନ କହିଛନ୍ତି ।