ଆଇପିଏଲରେ ସାମିଲ ହେବ ଆଉ ୨ଟି ଦଳ, ବିସିସିଆଇକୁ ମିଳିପାରେ ୫୦୦୦ କୋଟି ।

303

କନକ ବ୍ୟୁରୋ : ଆଇପିଏଲରେ ସାମିଲ ହେବ ଆଉ ୨ଟି ଦଳ । ଆଉ ଏହି ୨ଟି ଦଳକୁ ସାମିଲ କରିବା ଦ୍ୱାରା ବିସିସିଆଇକୁ ପାଖାପାଖି ୫୦୦୦ କୋଟି ଟଙ୍କା ମିଳିବ । ଆସନ୍ତା ୨୦୨୨ରେ ୮ଟି ବଦଳରେ ୧୦ଟି ଟିମ୍ ଆଇପିଏଲ ଖେଳିପାରନ୍ତି । ତେବେ ଅଧିକ ସଂଖ୍ୟକ ଟିମକୁ ସାମିଲ କରି ବିସିସିଆଇ ଆଇପିଏଲକୁ ଆହୁରି ରୋମାଞ୍ଚକର କରିବାକୁ ଚାହୁଁଛି । ଆଉ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ହୋଇଛି । ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହା ଉପରେ ମୋହର ବାଜିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୭୫ କୋଟି ଟଙ୍କା ଦେଇ ଆଇପିଏଲ ଟିମ୍ କିଣିବାକୁ ବିଡ୍ ଦାଖଲ କରିପାରିବେ କମ୍ପାନି । ପୂର୍ବରୁ ନୂଆ ଟିମର ବେସ୍ ପ୍ରାଇସ ୧୭୦୦ କୋଟି ରଖାଯାଇଥିବା ବେଳେ ଏବେ ଏହାକୁ ୨୦୦୦ କୋଟିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଇପିଏଲରେ ସାମିଲ ହେବାକୁ ଅନେକ କମ୍ପାନି ବିଡ ଦାଖଲ କରିବାକୁ ଉତ୍ସାହିତ ଅଛନ୍ତି । ତେଣୁ ୨ଟି ନୂଆ ଟିମକୁ ସାମିଲ କରି ବିସିସିଆଇ ପାଖାପାଖି ୫୦୦୦ କୋଟି ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛି ।

ଆଇପିଏଲରେ ୨ଟି ନୂଆ ଟିମ୍ ସାମିଲ ହେଲେ ମ୍ୟାଚ୍ ସଂଖ୍ୟା ମଧ୍ୟ ବଢିବ । ମିଳିଥିବା ସୂଚନା ମୁତାବକ ୧୦ଟି ଟିମକୁ ନେଇ ଆଇପିଏଲ ଖେଳାଗଲେ ମ୍ୟାଚ୍ ସଂଖ୍ୟା ୭୪କୁ ବୃଦ୍ଧି କରାଯିବ । ତେବେ ବର୍ଷକୁ ୩୦୦୦ କୋଟିର ଟର୍ଣ୍ଣଓଭର ଥିବା କମ୍ପାନି ହିଁ କେବଳ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଏହାବାଦ୍ ମିଳିତ ଭାବେ କମ୍ପାନି ଗୁଡିକ ଏକାଠି ହୋଇ ଦଳ କିଣିବା ପ୍ରକ୍ରିୟାରେ ସାମିଲ କରିବାକୁ ବିସିସିଆଇ ଯୋଜନା ପ୍ରସ୍ତୁତ କରୁଛି । ଯାହାଦ୍ୱାରା ଟେଣ୍ଡର ପ୍ରକ୍ରିୟାରେ ଅଧିକରୁ ଅଧିକ କମ୍ପାନି ସାମିଲ ହେବାକୁ ଆଗେଇ ଆସିବେ ଓ ଏହା ଅଧିକ ରୋଚକ ହେବ । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୩ରୁ ଅଧିକ କମ୍ପାନି ସମୂହକୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇନପାରେ କିନ୍ତୁ ୩ଟି ଦଳ ଯଦି ଏକାଠି ହୋଇ ଦଳ କିଣିବାକୁ ଆଗେଇ ଆସନ୍ତି ତେବେ ଏଥିପାଇଁ ବିସିସିଆଇ ସୁଯୋଗ ଦେଇପାରେ ।

ସେହିଭଳି ଅହମ୍ମଦାବାଦ, ଲକ୍ଷ୍ନୌ ଓ ପୁଣେକୁ ନୂଆ ଭେନ୍ୟୁ ଭାବେ ସାମିଲ କରାଯାଇପାରେ । ଅହମ୍ମଦାବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଓ ଲକ୍ଷ୍ନୌରେ ଥିବା ଷ୍ଟାଡିୟମ ନୂଆ ଫ୍ରାଞ୍ଚାଇଜକୁ ପସନ୍ଦ ଆସିପାରେ । କାରଣ ନବନିର୍ମିତ ଏହି ଦୁଇ ଷ୍ଟାଡିୟମରେ ଅଧିକ ସଂଖ୍ୟକ ଦର୍ଶକ ବସିପାରିବେ । ଆସନ୍ତା ସେପ୍ଟେମ୍ବର ୧୯ରୁ ଆଇପିଏଲର ଫେଜ୍-୨ ମ୍ୟାଚ୍ ୟୁଏଇରେ ଖେଳାଯିବ । ଅକ୍ଟୋବର ୧୫ରେ ଫାଇନାଲ ମ୍ୟାଚ୍ ଖେଳାଯିବ । କରୋନା କାରଣରୁ ଭାରତରେ ଖେଳାଯାଇଥିବା ଆଇପିଏଲକୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା ।