କନକ ବ୍ୟୁରୋ : ଟମାଟୋ ଦର ୧୫୦ଟଙ୍କା ଅତିକ୍ରମ କରିଥିବା ବେଳେ ଏହାକୁ ବିକ୍ରି କରି କୋଟିପତି ହୋଇଛନ୍ତି ଜଣେ ଚାଷୀ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ମହାରାଷ୍ଟ୍ର ପୁଣେର ଜଣେ ଚାଷୀ ଟମାଟୋ ବିକ୍ରି କରି ମାସକରେ ପାଖାପାଖି ୩ କୋଟି ଟଙ୍କା ଲାଭ କରିଛନ୍ତି । ପୁଣେର ୩୬ବର୍ଷୀୟ ଚାଷୀ ଈଶ୍ୱର ଗାୟକର ନିଜର ୧୨ ଏକର ଜମିରେ ଟମାଟୋ ଚାଷ କରି ଏହି ଲାଭ କରିଛନ୍ତି ।

Advertisment

ଗତ ମେ’ ମାସରେ ଟମୋଟାର ଅଭାବୀ ବିକ୍ରି ଯୋଗୁୁଁ ତାଙ୍କର ଅନେକ କ୍ଷତି ହୋଇଥିଲା । ଏହାପରେ ଦର ବଢ଼ିବା ଯୋଗୁଁ ପୁଣି ତାଙ୍କର ଲାଭ ହୋଇଛି । ୨୦୨୧ରେ ଇଶ୍ୱରଙ୍କୁ  ୧୮ରୁ ୨୦ଲକ୍ଷ ଟଙ୍କାର କ୍ଷତି ହୋଇଥିଲା । ସେହିପରି ୨୦୨୨ରେ ମଧ୍ୟ କିଛି ଆଖିଦୃଶିଆ ଲାଭ ହୋଇନଥିଲା । କିନ୍ତୁ ସେ ଟମାଟୋ ଚାଷ ଜାରି ରଖିଥିଲେ, ଯେଉଁଥିରେ ଏବେ ତାଙ୍କର କୋଟି କୋଟି ଟଙ୍କାର ଲାଭ ହୋଇଛି ।

ଈଶ୍ୱର ଏପର୍ଯ୍ୟନ୍ତ ୧୮ହଜାର କ୍ରେଟ ଟମାଟୋ ବିକ୍ରି କରିଛନ୍ତି, ପ୍ରତି କ୍ରେଟରେ ୨୦କିଲୋଗ୍ରାମ ଟମାଟୋ ରହିଥାଏ । କ୍ରେଟ ପିଛା ୨୧ଶହ ଟଙ୍କାରେ ବିକ୍ରି କରିଛନ୍ତି । ମାସକ ଭିତରେ ୨କୋଟି ୮୦ଲକ୍ଷ ଟଙ୍କାର ଲାଭ କରିଛନ୍ତି । ତାଙ୍କର କହିବା କଥା ହେଲା ଏବେବି ତାଙ୍କ ଜମିରେ ଟମାଟୋ ଅଛି ଯାହା ଆସନ୍ତା ୧୫ଦିନରେ ବିକ୍ରି ହେବ । ଏବଂ ତାଙ୍କର ମୋଟ୍ ଲାଭ ସାଢେ ତିନି କୋଟି ପାଖାପାଖି ପହଞ୍ଚିବ ।