‘ସାବିତ୍ରୀ’ ଆଗରେ ଫିକା ପଡ଼ିଲା କରୋନା । ଲୋକେ ଭୁଲି ଗଲେ କରୋନାର ବିପଦ, ସତର୍କ ନହେଲେ ପୁଣି ଅସମ୍ଭାଳ ହୋଇପାରେ ସ୍ଥିତି ।

424

କନକ ବ୍ୟୁରୋ : ଦିନକ ପରେ ସାବିତ୍ରୀ । ଆଉ ଆଜି ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ତାହା ଚିନ୍ତା ଜନକ । ଓଡିଶାରେ ଏବେ ବି କରୋନା ବିପଦଜନକ ପରିସ୍ଥିତିରେ ରହିଛି । ଆସନ୍ତାକାଲି ବଜାରରେ ପ୍ରବଳ ଭିଡର ଆଶଙ୍କା ରହୁଛି । ଏଭଳି ପରିସ୍ଥିତିରେ ସତର୍କ ରହିବାର ଖୁବ୍ ଆବଶ୍ୟକତା ରହିଛି ।

ସାବିତ୍ରୀ ପାଇଁ ବଜାରରେ ଭିଡ । ଯେଉଁ ଭିଡକୁ ଦେଖିଲେ ଆପଣ ବି ଚିନ୍ତାରେ ପଡିଯିବେ । ଓଡିଶାର ଏକ ପାରମ୍ପରିକ ପର୍ବ ସାବିତ୍ରୀ ପାଇଁ ବଜାର ଯାଇ ଫଳମୂଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାର ଆବଶ୍ୟକତା ଥାଏ । ସେଥିପାଇଁ ଲୋକେ ହୁଏତ ସବୁ ଭୁଲିଯାଆନ୍ତି ଯେ, ଏବେ ବି କରୋନା ଏକ ବିପଦପୂର୍ଣ୍ଣ ପରିସ୍ଥିତିରେ ଅଛି ।  ଏହି ଚିତ୍ର ଦେଖାଇବାର ଅଭିପ୍ରାୟ ହେଉଛି ଯେ ଆଉ ଗୋଟିଏ ଦିନ ପରେ ସାବିତ୍ରୀ  । ତେଣୁ ଆମକୁ ଅନ୍ତତଃ ଗୋଟିଏ ଦିନ ପାଇଁ ସତର୍କ ରହିବାକୁ ପଡିବ ।

ଗତ ୨୪ ଘଂଟାରେ ଓଡିଶାରେ ୫ ହଜାର ୮୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଲହରର ଶୀର୍ଷ ସଂଖ୍ୟାଠାରୁ ବି ଏହି ସଂଖ୍ୟା ଯଥେଷ୍ଟ ଅଧିକ । ଏହା ସତ ଯେ, ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ଏବେ ବି ପରିସ୍ଥିତି ବିପଦପୂର୍ଣ୍ଣ ରହିଛି ।    ଥରେ ଭାବନ୍ତୁ ଏମାନଙ୍କ କଥା । ଅମ୍ରିତ ପ୍ରଧାନଙ୍କୁ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ଚେନ୍ନାଇ ନେବାକୁ ପଡିଲା । ଆଉ ଜଣେ ଆକ୍ରାନ୍ତ ଅଭିଷେକ ମହାପାତ୍ରଙ୍କ ଚିକିତ୍ସା ପାଇଁ କୋଟିଏ ଟଙ୍କା ଦରକାର । ସେପଟେ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଗଲା ।  ଏ କଥା ସମସ୍ତେ ଜାଣନ୍ତି ଯେ, କରୋନା କେତେ ବଡ ବିପଦ ଟାଣିଆଣିପାରେ ।  କିନ୍ତୁ ବେଳେ ବେଳେ ଆମେ ସବୁ ଜାଣି ମଧ୍ୟ ଟିକିଏ ହେଳା କରିଦେଉ । ମନକୁ ଆସିଯାଏ ମୋର କିଛି ହେବନାହିଁ । କିନ୍ତୁ ଏଭଳି ଭାବିବା ଭୁଲ ହୋଇଯାଇପାରେ ।

ସରକାର କିମ୍ବା ପ୍ରଶାସନ କଣ କରିବା କଥା କିମ୍ବା କଣ କରିପାରିବ ତାହା ତ ଏକ ବିତର୍କର ବିଷୟ । କିନ୍ତୁ ନିଜେ ସଚେତନ ନ ହେଲେ ବିପଦ ନିଜ ଉପରକୁ ହିଁ ଆସିବ । ବାଲେଶ୍ୱରର ଏହି ଚିତ୍ର ସତର୍କ କରିବା ପାଇଁ ବାଧ୍ୟ କରୁଛି ଯେ, ସାବିତ୍ରୀ ସତର୍କତାର ସହ ପାଳନ କରାଯିବା ଦରକାର ।