ବିନା କୋଚିଂରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କଲେ ଟପ୍ ! ଅର୍ଥ ବାଧକ ସାଜିବାରୁ ସେଲ୍ସଗାର୍ଲ କାମ କରି ପୁରାକଲେ ବାପା ମାଆଙ୍କ ଅଧୁରା ସ୍ୱପ୍ନ ।

105

ଦୃଢ଼ ସଂକଳ୍ପ ଓ ନିଷ୍ଠା ଥିଲେ ଅସମ୍ଭକୁ ସମ୍ଭବ କରିବା ପାଇଁ କେହି ରୋକି ପାରିବେ ନାହିଁ । ଲକ୍ଷ୍ୟ ଯଦି ମଜଭୁତ ହୁଏ ଯେତେ ବାଧାବିଘ୍ନ ଓ ସମସ୍ୟା ଆସିଲେ ମଧ୍ୟ ସଫଳତାର ଶୀର୍ଷ ପାହାଚରେ ପହଁଚିବା ସୁନିଶ୍ଚିତ । ଏଭଳି ଏକ ଅସାଧ୍ୟ କୃତିତ୍ୱକୁ ସାଧକ କରିଛନ୍ତି ଇନ୍ଦୋରର ଡିମ୍ପଲ କୁମାବତ । ସକାଳ ୭ଟାରୁ ସ୍କୁଲକୁ ପାଠ ପଢ଼ିବା ପାଇଁ ବାହାରି ପଡନ୍ତି ଡିମ୍ପଲ । ସ୍କୁଲରୁ ଆସିବା ପରେ ସାଙ୍ଗେ ସାଙ୍ଗେ ଗୋଟିଏ ଡ୍ରେସ ଷ୍ଟୋରକୁ ସେଲ୍ସଗାର୍ଲ କାମ କରିବାକୁ ପ୍ରତିଦିନ ଯାଆନ୍ତି । ଆଉ ଦୋକାନରୁ ରାତି ୧୦ଟାରେ ଫେରି କ’ଣ ଟିକେ ଖାଇଦେଇ ପୁଣି ନିଜ ଲକ୍ଷ୍ୟକୁ ସାକାର କରିବା ପାଇଁ ପାଠ ପଢାରେ ଲାଗିପଡନ୍ତି । ଦ୍ୱାଦଶ ପରୀକ୍ଷାରେ ଯେମିତି ହେଉ ଟପ କରି ପରିବାରର ନାଁ ଗୌରବ କରିବା ଥିଲା ଡିମ୍ପଲ କୁମାବତଙ୍କ ଲକ୍ଷ୍ୟ ସ୍ଥଳ ।

ଡିମ୍ପଲଙ୍କ ପରିବାରରେ ୩ଜଣ ରୁହନ୍ତି । ବାପା ସିଲେଇ କରି ଘରଖର୍ଚ୍ଚ ଚଳାନ୍ତି ହେଲେ ଏଥିରେ ପରିବାରର ପେଟପୁରେନି । ତେଣୁ ଡିିମ୍ପଲ ଘରର ଏଭଳି ଆର୍ଥିକ ପରିସ୍ଥିତିକୁ ସାମ୍ନା କରି ନିଜେ ଏକ ଡ୍ରେସ ଷ୍ଟୋରରେ ସେଲ୍ସ ଗାର୍ଲ ଭାବେ କାମ କରିଚାଲିଲେ । ସେଥିରୁ ଯାହା କିଛି ଅର୍ଥ ମିଳେ ପାଠ ପଢ଼ା ସହିତ ଘର ଖର୍ଚ୍ଚ ମଧ୍ୟ ଚଳିଯାଏ । ଏଭଳି ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଲକ୍ଷ୍ୟକୁ ସଫଳ ଶୀର୍ଷରେ ପହଁଚାଇବା ଡିମ୍ପଲ ଉଦ୍ୟମ ଜାରି ରଖିଥିଲେ । ଆଉ ଶେଷରେ ସେଥିରେ ସଫଳ ମଧ୍ୟ ହେଲେ । ମାଧ୍ୟମିକ ଶିକ୍ଷା ମଣ୍ଡଳର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଇନ୍ଦୋର ଝିଅ ଡିମ୍ପଲ କୁମାବତ ଟପ ଟେନ ତାଲିକାରେ ସ୍ଥାନ ପାଇ କୃତିତ୍ୱ ଅର୍ଜନ କରିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବିନା କୋଚିଂରେ ଟପ ଟେନ୍ ତାଲିକାରେ ସ୍ଥାନ ପାଇଛନ୍ତି ଡିମ୍ପଲ । ଆର୍ଥିକ ଅସହାୟ ପରିସ୍ଥିତି ଯୋଗୁଁ କୋଚିଂ ନେବା ତାଙ୍କ ପାଇଁ ସମ୍ଭବ ହୋଇନଥିଲା । ହେଲେ ଦୃଢ଼ ସଙ୍କଳ୍ପ ଆଉ ନିଷ୍ଠା ଡିମ୍ପଲଙ୍କୁ ସଫଳର ଶୀର୍ଷ ପାହାଚରେ ପହଁଚାଇଛି । ତେଣୁ ଆସନ୍ତା ସୋମବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ସମାରୋହରେ ଟପ୍ପର ମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଡିମ୍ପଲ କୁମାବତଙ୍କୁ ମଧ୍ୟ ସେଠାରେ ସମ୍ବର୍ଦ୍ଧିତ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡିମ୍ପଲଙ୍କ ପରିବାରକୁ ସୂଚନା ମିଳିବା ପରେ ପରିବାର ଲୋକେ ଖୁସିରେ ବିଭୋର ହୋଇ ପଡିଛନ୍ତି ।