ବ୍ରାଜିଲରେ ବେକାବୁ ହେଉଛି କରୋନା । ୨୪ ଘଣ୍ଟାରେ ୮୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଏପଟେ ମହାରାଷ୍ଟ୍ରରେ ସ୍ଥିତି ସଂଗୀନ୍ ।

119

କନକ ବ୍ୟୁରୋ: ବ୍ରାଜିଲରେ ବେକାବୁ ହେଉଛି କରୋନା ସଂକ୍ରମଣ । ଦିନକୁ ହାରାହାରି ସଂକ୍ରମଣ ୮୦ ହଜାର ଟପିଲାଣି । ବଡ଼ କଥା ହେଉଛି ଗତକାଲି ଭାରତଠାରୁ ଟପି ଯାଇଛି ବ୍ରାଜିଲର ସଂକ୍ରମଣ ସଂଖ୍ୟା । ଏପଟେ ଭାରତରେ କ୍ରମାଗତ ଶନିବାର ଆସିଥିବା ରିପୋର୍ଟ ଅନୁସାରେ ଦିନକରେ ୨୪ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଉ ଏହାରି ଭିତରେ ପ୍ରାୟ ଗୋଟିଏ ବର୍ଷ ପରେ ଦେଶରେ ପୁଣି ଉପର ମୁହାଁ ହୋଇଛି କରୋନା ମିଟର । ଗତ କିଛିଦିନ ହେଲା ଲଗାତର ବଢିଚାଲିଛି କରୋନା ସଂକ୍ରମଣ ।

ଗତକାଲି ଚଳିତବର୍ଷର ସର୍ବାଧିକ କରୋନା ସଂକ୍ରମଣ ରେକର୍ଡ କରାଯାଇଛି । ସାରା ଦେଶରେ ଗୋଟିଏ ଦିନରେ ୨୪ ହଜାର ୮୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୮୩ ଦିନରେ ଏହା ସର୍ବାଧିକ । ଗତବର୍ଷ ଡିସେମ୍ବର ମାସରେ ଗୋଟିଏ ଦିନରେ ସର୍ବାଧିକ ୨୬ ହଜାର ୬୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଗୋଟିଏ ଦିନରେ ୧୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ସାରା ଦେଶରେ ବର୍ତ୍ତମାନ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି ।