କନକ ବ୍ୟୁରୋ: ଆଜି ଚନ୍ଦ୍ର ଅଭିମୁଖେ ଆଗକୁ ମାଡି ଚାଲିଥାଏ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଚନ୍ଦ୍ରଯାନ-୩ । ଏହାସହ ଉପରକୁ ଉଠୁଥାଏ ଭାରତୀୟଙ୍କ ଆଶା, ଆକାଂକ୍ଷା ଓ ସ୍ୱପ୍ନ । ଚନ୍ଦ୍ରଯାନ-୨ର ବିଫଳତାରୁ ଶିକ୍ଷା ନେଇ ଏହି ମିସନକୁ ସଫଳ କରିବା ପାଇଁ ୪ ବର୍ଷ ଧରି ଲାଗି ପଡିଥିଲେ ଇସ୍ରୋର ବୈଜ୍ଞନିକ । ଯେଉଁ ତ୍ରୁଟି ରହିଥିଲା, ଯାହା ଯେପରି ପୁନରାବୃତ୍ତି ନହେବ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।

Advertisment

କାହିଁକି ବିଫଳ ହୋଇଥିଲା ଚନ୍ଦ୍ରଯାନ-୨?

  • ଚନ୍ଦ୍ରପୃଷ୍ଠର ୪୦୦ ମିଟର ଦୂରରୁ ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ କଟିଗଲା
  • ଲ୍ୟାଣ୍ଡିଂ କରିବା ବେଳେ ‘ବିକ୍ରମ’ ୪୧୦ ଡିଗ୍ରୀ ବୁଲି ଯାଇଥିଲା
  • ୪ଟି ପର୍ଯ୍ୟାୟରେ ଗତି ନିୟନ୍ତ୍ରିତ ହୋଇଥାନ୍ତା
  • ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବାରୁ ଗତି ନିୟନ୍ତ୍ରଣ ହୋଇନଥିଲା
  • ଗତିପଥରେ ପରିବର୍ତ୍ତନ ଓ ଦ୍ରୁତ ଗତି ଯୋଗୁଁ କ୍ରାସ ଲ୍ୟାଣ୍ଡିଂ କରିଥିଲା ‘ବିକ୍ରମ’

ଚନ୍ଦ୍ରଯାନ-୨ରେ ସଫ୍ଟୱେୟାର ତ୍ରୁଟି ଯୋଗୁଁ ବଡ଼ ସଫଳତାରୁ ବଞ୍ଚିତ ହୋଇଥିଲା ଭାରତ । ଏହି ତ୍ରୁଟିକୁ ସୁଧାରିଛନ୍ତି ଇସ୍ରୋର ବୈଜ୍ଞାନିକ । ଚନ୍ଦ୍ରଯାନ-୩ରେ ଅର୍ବିଟର ଯାଇନାହିଁ । ଗତଥର ଯାଇଥିବା ଅର୍ବିଟର ଚନ୍ଦ୍ରର କକ୍ଷପଥରେ ଘୁରିବୁଲୁଛି, ତାହା ଜରିଆରେ ତଥ୍ୟ ପଠାଇବ ରୋଭର ଓ ଲ୍ୟାଣ୍ଡର । ବୈଜ୍ଞାନିକମାନେ ଆଶା ରଖିଛନ୍ତି ଏଥର ଭାରତର ମିସନ୍ ସଫଳ ହେବ ।

ଚନ୍ଦ୍ରଯାନ-୩

  • Spectro-polarimetry of HAbitable Planet Earth ପେ-ଲୋଡ୍ ରହିଛି
  • ପୃଥିବୀ ଓ ଚନ୍ଦ୍ରର କକ୍ଷପଥକୁ ଏହା ନିରନ୍ତର ନିରୀକ୍ଷଣ କରୁଥିବାରୁ ଗତିପଥରେ ପରିବର୍ତନ ହେବା ସମ୍ଭାବନା ହ୍ରାସ ପାଇବ
  • ଚନ୍ଦ୍ରଯାନ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହେବା ଆଶଙ୍କା କମ୍
  • ସଫ୍ଟୱେୟାରର ତ୍ରୁଟି ଆଡ଼େଇବା ପାଇଁ ନିଆଯାଇଛି ପଦକ୍ଷେପ
  • ମାତ୍ର ୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଚନ୍ଦ୍ରଯାନ-୩
  • ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କଲେ, ଆମେରିକା, ରୁଷିଆ ଓ ଚୀନ ପରେ ଭାରତ ହେବ ବିଶ୍ୱର ଚତୁର୍ଥ ଦେଶ
  • ଚନ୍ଦ୍ରର ସାଉଥ୍ ପୋଲ୍ ନିକଟରେ ଚନ୍ଦଯାନ-୩ ଅବତରଣ କରିବା ଲକ୍ଷ୍ୟ ରଖାଯାଇଛି

ଯଦି ସବୁକିଛି ଠିକ୍ଠାକ୍ ଚାଲେ, ତେବେ ଚନ୍ଦ୍ରର ୭୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିବ ଲ୍ୟାଣ୍ଡର ଓ ରୋଭର । ଯାହା ବିଶ୍ୱ ପାଇଁ ନୂଆ ଉପଲବ୍ଧି ହେବ ।