ଆଜି ମହାଶିବରାତ୍ରି : ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ଶୈବପୀଠ ଚଳଚଞ୍ଚଳ; ରାତି ୧୦ଟାରେ ଉଠିବ ମହାଦୀପ

152

କନକ ବ୍ୟୁରୋ : ଆଜି ପବିତ୍ର ଜାଗର ଯାତ୍ରା । ଏଥିପାଇଁ ଉତ୍ସବମୁଖର ହୋଇପଡିଛି ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ସମସ୍ତ ଶୈବପୀଠ । ରଙ୍ଗୀନ ଆଲୋକମାଳା ସହ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର ପରିସର । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜାଗର ପୂର୍ବରୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି ।

ଶୁକ୍ରବାର ବିଳମ୍ବିତ ରାତିରେ ଆଳତି ଅବକାଶ ନୀତି ସମ୍ପନ୍ନ ହୋଇଛି । ଭୋର ୪ଟାରୁ ୫ ପର୍ଯ୍ୟନ୍ତ ସେବାୟତ ପରିବାରମାନେ ଠାକୁରଙ୍କ ଦର୍ଶନ କରିଥିଲେ । ଭୋର ୫ରୁ ଆରମ୍ଭ ହୋଇଚି ସାହାଣାମେଳା ଦର୍ଶନ, ଯାହା ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ । ଦିନ ୧୧ଟା ପରେ ମହାପ୍ରଭୁଙ୍କ ଜାଗର ନୀତି ଆରମ୍ଭ ହେବ । ରାତି ୧୦ଟାରେ ମହାଦୀପ ମନ୍ଦିର ଉପରକୁ ଉଠିବା ନେଇ ନୀତି ନିର୍ଘଂଟ ସ୍ଥିର ହୋଇଛି । ସେହିପରି ପୁରୀ ଲୋକନାଥ ମନ୍ଦିର ଓ କଟକ ଧବଳେଶ୍ୱର ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

ତେବେ ପୁରୁଣା ଭୁବନେଶ୍ବରରେ ଏହି ପର୍ବ ପାଇଁ ବ୍ୟାପକ ଆୟୋଜନ ଚାଲିଛି । ମନ୍ଦିର ପ୍ରଶାସନ, ଏଏସ୍‌ଆଇ, କମିସନରେଟ୍‌ ପୁଲିସ, ବିଏମ୍‌ସି ଓ ଜିଲ୍ଲା ପ୍ରଶାସନ ସବୁ ବିଭାଗରୁ ଏହି ବଡ଼ ଉତ୍ସବ ପାଇଁ ପ୍ରସ୍ତୁତି ଶେ‌ଷ ହୋଇଛି । ଗତକାଲି ରାତିରୁ ଏକାମ୍ର କ୍ଷେତ୍ରର ପ୍ରାୟ ସବୁ ଶୈବ ପୀଠ ରଙ୍ଗିନ୍‌ ଆଲୋକରେ ଝଲସୁଛି । ଲିଙ୍ଗରାଜ ମନ୍ଦିର ନିକଟ ପୁଷ୍କରିଣୀଗୁଡ଼ିକ ମଧ୍ୟ ରଙ୍ଗିନ୍‌ ଆଲୋକମାଳାରେ ଝଲମଲ ହୋଇଉଠୁଛି । ଦିନ ତମାମ୍ ଭାଗବତ ପାରାୟଣ, ରାମଚରିତ ମାନସ ପାରାୟଣ, ପ୍ରବଚନ କାର୍ଯ୍ୟକ୍ରମ ଥିବା ବେଳେ ସନ୍ଧ୍ୟାରେ ଆରମ୍ଭ ହେବ ବିଶାଳ ଭଜନ ସମାରୋହ । ଏଥର ଅନୁରାଧା ପୌଡ଼ୱାଲଙ୍କ ସହ ବାବୁଲ୍‌ ସୁପ୍ରି‌ୟୋ ଓ ବେଲା ସୁଲାଖେଙ୍କ ଭଳି ବଲିଉଡ୍‌ କଣ୍ଠଶିଳ୍ପୀମାନେ ଭକ୍ତି ସଙ୍ଗୀତ ପରିବେଷଣ କରିବେ ।