କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିପାରେ ବଡ଼ ଲଢ଼େଇ । କାରଣ ଆସନ୍ତା ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର । ଖାସ୍ କରି ଓଡ଼ିଶାରୁ ଲୋକସଭା ଆସନରେ ନିର୍ବାଚନ ଲଢ଼ିବାକୁ ବିଜେପି କେନ୍ଦ୍ରୀୟ ଟିମକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଏନେଇ ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ସବୁଠାରୁ ବଡ଼କଥା ହେଲା, ପୂର୍ବରୁ ୨୦୦୪ରେ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ଆସନରୁ ବିଜେପି ଟିକେଟରେ ଲଢ଼ି କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ । ୨୦୦୪ରେ ଦେବଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୦୯ରେ ପାଲଲହଡ଼ା ବିଧାନସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ କିନ୍ତୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏହାପରେ ୨୦୧୨ରେ ବିହାରରୁ ରାଜ୍ୟସଭାକୁ ଯାଇଥିବାବେଳେ ୨୦୧୮ରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ତେବେ ଧର୍ମେନ୍ଦ୍ର ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ୍, ଇସ୍ପାତ ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଥିବା ବେଳେ ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଦାୟିତ୍ୱ ତୁଲାଉଛନ୍ତି । ଧର୍ମେନ୍ଦ୍ର ଯଦି ୨୦୨୪ ନିର୍ବାଚନରେ ରାଜ୍ୟ ରାଜନୀତିକୁ ପଡ଼ିଆକୁ ଓହ୍ଲାନ୍ତି ତେବେ ସେ କେଉଁ ଆସନରୁ ଲଢ଼ିବେ ସେନେଇ ରାଜନୀତି ମହଲରେ କଳ୍ପନା ଜଳ୍ପନା ଲାଗି ରହିଛି ।